୧୮୩ ଫୁଟ ଦୂରରୁ କୁରାଢ଼ି ଫିଙ୍ଗି ଗିନିଜ୍ ୱାର୍ଲଡ ରେକର୍ଡ

ଆଙ୍କାରା: ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ସେହିପରି ଜଣେ ବ୍ୟକ୍ତି ଯିଏକି କୁରାଢି ଫିଙ୍ଗି ନିଜ ନାମକୁ ଗିନିଜ୍ ୱାର୍ଲଡ଼ରେ ରେକର୍ଡ଼ କରିଛନ୍ତି । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ତୁର୍କୀର ରାଜଧାନୀ ଆଙ୍କାରାର ବାସିନ୍ଦା ଓସ୍‌ମାନ ଗୁରଚୁ(୪୩) । ସେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରନ୍ତି । ସେ ୧୮୩ ଫୁଟ ୮.୭୨ ଇଞ୍ଚ୍ ଦୂରରୁ ଏକ କୁରାଢିକୁ ଲକ୍ଷ୍ୟର ସହ ଫିଙ୍ଗିଥିଲେ। ‘ଲଙ୍ଗେଷ୍ଟ ଆକ୍ସ ଥ୍ରୋ’ ଶ୍ରେଣୀରେ ଓସ୍‌ମାନ ଗିନିଜ୍ ୱାର୍ଲଡ଼ ରେକର୍ଡ (ଜିଡବ୍ଲ୍ୟୁଆର) କୁ ହାତେଇଛନ୍ତି। ଏହି ଦୂରତା ଅଲିମ୍ପିକ୍ ସୁଇମିଂ ପୁଲ୍ (୧୬୪ ଫୁଟ) ଠାରୁ ମଧ୍ୟ ଅଧିକ । ପୂର୍ବରୁ ଏହି ରେକର୍ଡ ଆମେରିକୀୟ ଜେସି ରୁଡ୍‌ଙ୍କ ନାମରେ ରହିଥିଲା। ସେ ୧୪୩ ଫୁଟ ଦୂରରୁ କୁରାଢିକୁ ଫିଙ୍ଗି ରେକର୍ଡ଼ କରିଥିଲେ। ଏବେ ଓସ୍‌ମାନ ଏହି ରେକର୍ଡକୁ ଭାଙ୍ଗି ଇତିହାସ ରଚିଛନ୍ତି।

ଓସ୍‌ମାନ ୧୮୩ ଫୁଟ ଦୂରରୁ କୁରାଢି ଫିଙ୍ଗିବା ସହ ନିଜ ଜୀବନର ଅଷ୍ଟମ ଜିଡବ୍ଲ୍ୟୁଆର ହାସଲ କରିଛନ୍ତି। ଏହି ଅବସରରେ ଓସ୍‌ମାନ କହିଛନ୍ତି, ନିଜ ନାମକୁ ଗିନିଜ୍ ୱାଲ୍‌ଡ଼ ରେକର୍ଡ଼ରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ଏଥିଲାଗି ସେ ସର୍ବଦା ଜିଡବ୍ଲ୍ୟୁଆର ୱେବ୍‌ସାଇଟ୍ ଏବଂ ଏହାର ସୋସିଆଲ ମିଡିଆ ପେଜ୍ ଉପରେ ନିରନ୍ତର ନଜର ରଖିଥାନ୍ତି। ଏହା ତାଙ୍କୁ ବିଭିନ୍ନ ନୂତନ ଚ୍ୟାଲେଞ୍ଜକୁ ଗ୍ରହଣ କରି ରେକର୍ଡ ସୃଷ୍ଟି କରିବାରେ ସହାୟକ ହୋଇଥିଲା। ତେବେ ଏହି ରେକର୍ଡ ସୃଷ୍ଟି କରିବା ତାଙ୍କ ପାଇଁ ଏକ ଅବିଶ୍ୱସନୀୟ ଅନୁଭବ ଥିଲା ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କୁରାଢ଼ିକୁ ଏତେ ଦୂରରୁ ଫିଙ୍ଗି ଏହାକୁ ଟାର୍ଗେଟରେ ପକାଇବା ସହଜ ନ ଥିଲା। ଏଥିପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଏଥିପାଇଁ ସେ ଅନେକଥର ପ୍ରୟାସ କରି ବିଫଳ ହୋଇଥିଲେ। କିନ୍ତୁ ସେ ହାର ନ ମାନି ଶେଷରେ ସଫଳତା ପାଇଛନ୍ତି । ଆଗାମୀ ଦିନରେ ବାସ୍କେଟବଲ, ଶୁଟିଂ ଆଦି କ୍ରୀଡ଼ା ସହ ଜଡିତ ଆହୁରି ଅନେକ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ହେଉଛନ୍ତି। ଜିଡବ୍ଲ୍ୟୁଆର ରେ ସ୍ଥାନ ପାଇବା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ସେ ଆଗକୁ ଆହୁରି ଅନେକ ଆକର୍ଷଣୀୟ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିବେ। ଏହା କେବଳ ଆରମ୍ଭ ମାତ୍ର ବୋଲି ଓସ୍‌ମାନ କହିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *