ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଅଜବ ଭିଡ଼ିଓ ସବୁ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ । ଏବେ ମହାରାଷ୍ଟ୍ରରୁ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟେ ମାଙ୍କଡ଼ ଏକ ମୃତଦେହ ନିକଟକୁ ଆସି ପ୍ରଣାମ କରୁଛି । କେବଳ ସେତିକି ନୁହେଁ, ଅନ୍ତିମ ସଂସ୍କାର ଯାଏଁ ପାଖରେ ବସି ରହିଲା । ମାଙ୍କଡ଼ର ଏପରି ଆତ୍ମିୟତାକୁ ଦେଖି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ହଠାତ୍ ଏକ ମାଙ୍କଡ ଆସି ସେଠାରେ ପହଞ୍ଚିଥିଲା । ମୃତଦେହ ନିକଟରେ ଲୋକେ ଜମା ହୋଇଥିଲେ ବି ମାଙ୍କଡ଼ର ଟିକେ ଭୟ ନ ଥିଲା । ନିର୍ଭୟରେ ଧୀରେ ଧୀରେ ମାଙ୍କଡଟି ବୃଦ୍ଧାଙ୍କ ନିକଟକୁ ଯାଇଥିଲା । ମୁହଁକୁ ମୁହଁ ଲଗାଇ କ’ଣ ଯେମିତି କହୁଥିବା ଲାଗିଥିଲା । ପରେ ମାଙ୍କଡ଼ଟି ପ୍ରଣାମ କରୁଥିବା ଦେଖିବାକୁ ମିଳିଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ସମସ୍ତେ ଭାବିଥିଲେ ମାଙ୍କଡଟି କିଛି ସମୟ ପରେ ସେଠାରୁ ଚାଲିଯିବ । କିନ୍ତୁ ସେ ସେଠାରେ ନ ଯାଇ ବହୁ ସମୟ ବସି ରହିଥିଲା । ଏମିତି କି ଅନ୍ତିମ ସଂସ୍କାର ହେବା ଯାଏଁ ସେଠାରେ ବସି ରହିଥିଲା । ଭାଇରାଲ ହେଉଥିବା ଏହି ଭିଡିଓକୁ ଲୋକେ ପସନ୍ଦ କରିଥିବା ବେଳେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।