ଭୁବନେଶ୍ୱର : ଓଲିଉଡର ଭେଟେରାନ୍ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଇସିୟୁରେ ଅଭିନେତା ଉତ୍ତମ ମହାନ୍ତିରେ ଚିକିତ୍ସା ଜାରି ରହିଛି। ସ୍ୱାସ୍ଥାବସ୍ଥା ସଙ୍କଟାପନ୍ନ ହେବାରୁ ଭେଣ୍ଟିଲେଟ୍ରରେ ରଖାଯାଇଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଜଣାପଡିଛି। ତେବେ ପରିବାର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଉତ୍ତମ ମହାନ୍ତି ଓଡ଼ିଶା ସିନେ ଇଣ୍ଡଷ୍ଟ୍ରୀ ଜଣେ କିମ୍ବଦନ୍ତୀ ଅଭିନେତା। ୧୯୭୭ରେ ସେ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଅଭିମାନ ଫିଲ୍ମ ଜରିଆରେ ଓଲିଉଡ୍ରେ ଡେବ୍ୟୁ କରିଥିଲେ। ଏହାପରଠାରୁ ଆଉ ପଛକୁ ଫେରିନାହାନ୍ତି ଉତ୍ତମ ମହାନ୍ତି । ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଓଲିଉଡ୍ରେ ଏକ ନୂଆ ଟ୍ରେଣ୍ଡ ସେଟ୍ କରିଥିଲେ ଉତ୍ତମ । ମୟୂରଭଞ୍ଜ ଜିଲାର ବାରିପଦାଠାରେ ଜନ୍ମ ହୋଇଥିଲେ ଉତ୍ତମ ମହାନ୍ତି। ଓଲିଉଡ୍ ଦଣ୍ଡା ବାଳୁଙ୍ଗା ରୂପେ ପରିଚିତ ଉତ୍ତମ ବର୍ତ୍ତମାନ ପର୍ଯ୍ୟନ୍ତ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି।
ତାଙ୍କର ନିଖୁଣ ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତେବେ ଉତ୍ତମଙ୍କ ଅଭିନୀତ ଦଣ୍ଡା ବାଳୁଙ୍ଗା ତାଙ୍କୁ ଘରେ ଘରେ ବେଶ୍ ପରିଚିତ କରିଥିଲା । ୧୯୮୭ ମସିହାରେ ଅଭିନେତ୍ରୀ ଅପରାଜିତାଙ୍କୁ ସେ ବିବାହ କରିଥିଲେ। ତା ପୁଅ ବାବୁସାନ ମଧ୍ୟ ଜଣେ ଆଗଧାଡିର ଅଭିନେତା।