‘ଦଳ ବିରୋଧୀ’ କାର୍ଯ୍ୟକଳାପ ପାଇଁ ୨୮ ପ୍ରାର୍ଥୀ ନିଲମ୍ବିତ

ମୁମ୍ବାଇ: ମହାରାଷ୍ଟ୍ରରେ ୨୮ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଲମ୍ବନ କଲା କଂଗ୍ରେସ । ‘ଦଳ ବିରୋଧୀ’ କାର୍ଯ୍ୟକଳାପ ପାଇଁ ୬ ବର୍ଷ ପାଇଁ ନିଲମ୍ବିତ କରିଛି କଂଗ୍ରେସ । ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ ବିଦ୍ରୋହୀ ପ୍ରାର୍ଥୀଙ୍କ ବିରୋଧରେ କଂଗ୍ରେସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ମୋଟ ୨୮ ଜଣ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଲମ୍ବିତ କରିଛି। ଏହି ନେତାମାନେ ଆଗାମୀ ବିଧାନସଭା ନିର୍ବାଚନରେ ମହାବିକାଶ ଆଗାଡ଼ି (ଏମ୍‌ଭିଏ) ମେଣ୍ଟର ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତେଣୁ ସେମାନଙ୍କ ବିରୋଧରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି (ଏମ୍‌ପିସିସି) ୨୧ ଜଣ ପ୍ରାର୍ଥୀଙ୍କୁ ନିଲମ୍ବିତ କରିଥିବା ବେଳେ ଆଉ ୭ ଜଣ ନେତାଙ୍କୁ ନିଲମ୍ବିତ କରିଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରର ୨୨ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢୁଥିବା ୨୮ ଜଣ ବିଦ୍ରୋହୀ କଂଗ୍ରେସ ନେତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ଏହାର ପ୍ରଭାବ ୨୨ଟି ଆସନ ଉପରେ ପଡ଼ିବ। କଂଗ୍ରେସ ହାଇକମାଣ୍ଡ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ମୁଲାକ୍ (ରାମଟେକ୍ ଆସନ), ଜିଚକର (କଟୋଲ ଆସନ), କମଲ ବ୍ୟବହାରେ (କସବା ଆସନ), ମନୋଜ ସିନ୍ଦେ (କୋପ୍ରି ପଚପାଖାଡି ଆସନ) ଓ ଆବା ବାଗୁଲ (ପାର୍ବତୀ ଆସନ)ଙ୍କ ସମେତ ପ୍ରମୁଖ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିି।

ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ରମେଶ ଚେନ୍ନିଥାଲା କହିଛନ୍ତି ଯେ ଏମ୍‌ଭିଏ ପ୍ରାର୍ଥୀଙ୍କ ବିରୋଧରେ ଲଢୁଥିବା ସମସ୍ତ ଦଳୀୟ ବିଦ୍ରୋହୀଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ। ଶାସକ ମହାୟୁତି ଓ ଏମ୍‌ଭିଏ ମଧ୍ୟରେ ଜୋରଦାର ଲଢ଼େଇ ହେଉଛି। ମହାୟୁତି ମେଣ୍ଟରେ ବିଜେପି, ଶିବସେନା (ଏକନାଥ ସିନ୍ଦେ) ଓ ଏନ୍‌ସିପି (ଅଜିତ ପାୱାର) ଥିବା ବେଳେ ଏମ୍‌ଭିଏ ମେଣ୍ଟରେ କଂଗ୍ରେସ, ଶିବସେନା (ୟୁବିଟି) ଓ ଏନ୍‌ସିପି (ଶରଦ ପାୱାର) ସାମିଲ ଅଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *