ନୂଆଦିଲ୍ଲୀ : ଅଧିକାଂଶ ଲୋକ ଘରେ ଗୃହପାଳିତ ପଶୁ ରଖିବାକୁ ପସନ୍ଦ କରନ୍ତି । କେହି ଘରେ କୁୁକୁର,ବିଲେଇ ରଖୁଥିବା ବେଳେ ଆଉ କିଏ ଗାଈ,ମଇଁଷି ରଖିବାକୁ ଭଲ ପାଆନ୍ତି । ସେମାନେ ନିଜ ଘରର ସଦସ୍ୟଙ୍କ ପରି ଏମାନଙ୍କ ଯତ୍ନ ନେଇଥାନ୍ତି । ଲୋକେ ଗାଈ, ମଇଁଷି ପାଳିବା ଦ୍ୱାରା ଅନେକ ଲାଭବାନ ହୋଇଥାନ୍ତିି । କାରଣ କ୍ଷୀର, ଦହି, ଛେନା ଓ ଘିଅ ଆଦି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ତେବେ ଥାଇଲ୍ୟାଣ୍ଡର ଏକ ଫାର୍ମରେ ଥିବା ଏକ ମଇଁଷି ଏବେ ଖୁବ୍ ଚର୍ଚ୍ଚାରେ । ଏହି ମଇଁଷି ଦୁନିଆର ସବୁଠୁ ଲମ୍ବା ମଇଁଷି ଭାବେ ରେକର୍ଡ଼ ସୃଷ୍ଟି କରିଛି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଥାଇଲ୍ୟାଣ୍ଡର ନାଖୋନ ରାଟ୍ଚାସିମାର ନିନଲାନି ଫାର୍ମରେ ରହିଛି ଏହି ମଇଁଷି । ଏହା ୨୦୨୧ ଏପ୍ରିଲ ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲା । ତାର ନାଁ ହେଉଛି କିଙ୍ଗ୍କଙ୍ଗ । ଆଉ ଏହାର ଉଚ୍ଚତା ୬ ଫୁଟ୍ ୮ ଇଞ୍ଚ । ଅର୍ଥାତ୍ ସାଧାରଣ ବୟସ୍କ ମଇଁଷିଠାରୁ ପ୍ରାୟ ୨୦ ଇଞ୍ଚ ଉଚ୍ଚ । ଏବେ ଏହି ମଇଁଷିକୁ ବିଶ୍ୱର ସବୁଠାରୁ ଉଚ୍ଚ ମଇଁଷି ଭାବେ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଏହା ବିଶାଳକାୟ ହୋଇଥିଲେ ହେଁ ତାର ସ୍ୱଭାବ ଆକ୍ରମଣାତ୍ମକ ନୁହେଁ । ଏହା ପୋଖରୀରେ ଗାଧୋଇବାକୁ, କଦଳୀ ଖାଇବାକୁ ଏବଂ ଏହାର ଯତ୍ନ ନେଉଥିବା ମଣିଷମାନଙ୍କ ସହିତ ଖେଳିବାକୁ ଭଲ ପାଏ।
ଏହି ମଇଁଷି ଜନ୍ମ ହେବାଠାରୁ ତାର ଉଚ୍ଚତା ବଢିବା ନେଇ ଦିନେ ଏହା ରେକର୍ଡ଼ ଭାଙ୍ଗିବ ବୋଲି ଫାର୍ମ ମାଲିକ ସୁଚାର୍ଟ ବୁନଚାରୋଏନ ଆଶା କରୁଥିଲେ । ସେଥିପାଇଁ ଫିଲ୍ମରେ ଥିବା ବିଶାଳ ଗୋରିଲା ଅନୁସାରେ ତାଙ୍କର ନାମ କିଙ୍ଗ୍ କଙ୍ଗ୍ ରଖାଯାଇଥିଲା। ସେ ଜନ୍ମ ହେବା ଦିନଠାରୁ ଅନ୍ୟ ମଇଁଷିମାନଙ୍କ ତୁଳନାରେ ବହୁତ ଉଚ୍ଚ ଜଣାପଡ଼ୁଥିଲା । କୁହାଯାଏ ଯେ କିଙ୍ଗ୍ କଙ୍ଗ୍ ବହୁତ ଆଜ୍ଞାକାରୀ। ସେ ଖେଳିବାକୁ ଭଲ ପାଏ । ସେ ପ୍ରକୃତରେ ବନ୍ଧୁତ୍ୱପୂର୍ଣ୍ଣ । ସେଥିଲାଗି ଫାର୍ମରେ ଥିବା କର୍ମଚାରୀମାନେ ତାକୁ ବହୁତ ଭଲ ପାଇଥାନ୍ତି ବୋଲି କହିଛନ୍ତି ଫାର୍ମ ମାଲିକ ସୁଚାର୍ଟ ।