ଭୁବନେଶ୍ୱର: ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ ଓ ପ୍ରେମ ନୈସର୍ଗିକ । ଦୁଇଟି ଶବ୍ଦର ଏହି ଅକ୍ଷର ଦୁଇଟି ଭିନ୍ନ ମଣିଷକୁ ଏକତ୍ର କରିଦିଏ। ପ୍ରେମ ପାଇଁ ଦିନଟିଏ, ଭାଲେଣ୍ଟାଇନ୍ସ ଡେ’। ଫେବୃୟାରୀ ୭ ରୋଜ୍ ଡେରୁ ଆରମ୍ଭ ହୋଇଥିବା ସପ୍ତାହର ଅନ୍ତିମ ଦିନ ହେଉଛି ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ ବେଶ୍ ଉତ୍ସାହର ସହ ପାଳନ କରିଥାନ୍ତି। ଦିନଟିକୁ ସ୍ମରଣୀୟ କରିବା ଲାଗି ପରସ୍ପରକୁ ବିଭିନ୍ନ ସରପ୍ରାଇଜ୍ ଗିଫ୍ଟ ମଧ୍ୟ ଦେଇଥାନ୍ତି। ଏହିଦିନଟି କାହିଁକି ଏବଂ କେବେଠୁ ପାଳନ କରାଯାଇ ଆସୁଛି ଜାଣନ୍ତୁ ।
ରୋମ୍ର ଜଣେ ପାଦ୍ରୀ ଥିଲେ ସେଣ୍ଟ୍ ଭାଲେଣ୍ଟାଇନ୍। ବିଶ୍ୱକୁ ପ୍ରେମମୟ କରିବା ଲାଗି ସେ ସର୍ବଦା ଚାହୁଁଥିଲେ। ତାଙ୍କ ପାଇଁ ପ୍ରେମ ଜୀବନ ଥିଲା। କିନ୍ତୁ ଏହି ସହରରେ ଥିବା ଜଣେ ରାଜା ସେଣ୍ଟଙ୍କ ଏପରି କଥାକୁ ବିରୋଧ କରୁଥିଲେ। ରାଜାଙ୍କୁ ଲାଗୁଥିଲା ପ୍ରେମ କିମ୍ବା ବିବାହ କଲେ ପୁରୁଷର ଶକ୍ତି ଏବଂ ବୁଦ୍ଧି ନଷ୍ଟ ହୋଇଥାଏ। ଏହି କାରଣରୁ ରାଜ୍ୟର କୌଣସି ସୈନିକ ଏବଂ ଅଧିକାରୀ ବିବାହ କରି ପାରୁ ନ ଥିଲେ। ସେଣ୍ଟ ଭାଲେଣ୍ଟାଇନ୍ ରାଜାଙ୍କ ଏହି ଆଦେଶକୁ ବିରୋଧ କରୁଥିଲେ। ସେ ରୋମ୍ବାସୀଙ୍କୁ ପ୍ରେମ ଏବଂ ବିବାହ କରିବାକୁ ଉତ୍ସାହିତ କରିଥିଲେ।
ଖାଲି ଏତିକି ନୁହେଁ, କିଛି ସୈନିକ ଏବଂ ଅଧିକାରୀଙ୍କ ବିବାହ ମଧ୍ୟ କରାଇଲେ। ଏହି କଥାରେ ରାଜା ଭୀଷଣ ରାଗିଗଲେ। ଫଳରେ ସେଣ୍ଟ୍ ଭାଲେଣ୍ଟାଇନ୍ଙ୍କୁ ଖ୍ରୀଷ୍ଟପୂର୍ବ ୨୬୯ ଫେବୃୟାରୀ ୧୪ରେ ଫାଶୀ ଦେଇଦେଲେ। ଏହିଦିନଠାରୁ ସହରରେ ପ୍ରତିବର୍ଷ ଫେବୃଆରୀ ୧୪ରେ ‘ପ୍ରେମ ଦିବସ’ ଭାବେ ପାଳନ କରାଯାଇଆସୁଛି। ବର୍ତ୍ତମାନ ସାରା ବିଶ୍ୱରେ ଏହି ଦିନଟିକୁ ମଧ୍ୟ ପ୍ରେମୀଯୁଗଳ ପାଳନ କଲେଣି। କୁହାଯାଏ, ଭାଲେଣ୍ଟାଇନ୍ ଫାଶୀ ପାଇବା ସମୟରେ ଜେକୋବସ୍ ନାମକ ଜଣେ ଚକ୍ଷୁହୀନ ଯୁବତୀଙ୍କୁ ଚକ୍ଷୁଦାନ କରିଥିଲେ। ଜେକୋବସ୍ଙ୍କୁ ସେଣ୍ଟ୍ ଭାଲେଣ୍ଟାଇନ୍ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ଲେଖାଥିଲା ତୁମର ଭାଲେଣ୍ଟାଇନ୍।