ସତାରା: ସାଧାରଣତଃ ପରୀକ୍ଷା ଆସିଲେ ଛାତ୍ରଛାତ୍ରୀମାନେ ଚଳଚଞ୍ଚଳ ହୋଇ ଉଠନ୍ତି । ପରୀକ୍ଷା କେନ୍ଦ୍ରରେ କିପରି ଠିକ୍ ସମୟରେ ପହଞ୍ଚିବେ ସେଥିପ୍ରତି ସଜାଗ ଥାନ୍ତି । ସେଥିଲାଗି ଛାତ୍ରଛାତ୍ରୀମାନେ ପରୀକ୍ଷାର ବହୁ ସମୟ ପୂର୍ବରୁ ଘରୁ ବାହାରିଥାନ୍ତି । କେହି କେହି ସାଇକେଲରେ ସ୍କୁଲ କଲେଜ ଯାଉଥିବା ବେଳେ ଆଉ କିଏ ବସ, କାର କିମ୍ବା ଅଟୋ ଉପରେ ନିର୍ଭର କରିଥାନ୍ତି । ହେଲେ ନିକଟରେ ମହାରାଷ୍ଟ୍ରର ଜଣେ ଛାତ୍ର ପରୀକ୍ଷା କେନ୍ଦ୍ରରେ କିପରି ଶୀଘ୍ର ପହଞ୍ଚିବେ ସେଥିଲାଗି ସେ ପାରାଚୁଟ୍ରେ ଯାଇଥିବା ଦେଖିବାକୁ ମିଳିଛି । ଏହା ଜାଣିବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ମହାରାଷ୍ଟ୍ର ସତାରା ଜିଲା ପାସାରାନି ଗ୍ରାମରେ ସମର୍ଥ ମହାନ୍ଗାଡେ ନାମକ ଜଣେ ଛାତ୍ର ଖୁବ୍ ଚର୍ଚ୍ଚାରେ । କାରଣ ସେ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ପାଇଁ ପାରାଚୁଟ୍ର ବ୍ୟବହାର କରିଛନ୍ତି। ପରୀକ୍ଷା ଦେବା ପାଇଁ ସେ ତାଙ୍କ ପିଠିରେ ଏକ ସ୍କୁଲ ବ୍ୟାଗ୍ ପକାଇ ପାରାଚୁଟ୍ରେ ଉଡ଼ିବା ସହ ପାରା ଗ୍ଲିଡିଂ କରୁଥିବାର ଦେଖିବାକୁ ମିଳିଛି। ଇନ୍ଷ୍ଟାଗ୍ରାମରେ ଇନଷ୍ଟାପସତାରା ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି, ଯାହା ଭାଇରାଲ ହେବାରେ ଲାଗିଛି।
ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ୟୁଜର୍ସ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଆଉ କିଛି ମଜାଳିଆ କମେଣ୍ଟ ବି ଦେଇଛନ୍ତି। ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ପାଇଁ ଏହା ସର୍ବୋତ୍ତମ ଉପାୟ ବୋଲି କେତେଜଣ ୟୁଜର୍ସ କହିଛନ୍ତି। ସେହିପରି ସତାରା ପରି ଛୋଟ ସହରରେ ମଧ୍ୟ ଟ୍ରାଫିକ୍ ସମସ୍ୟା ଉତ୍କଟ ଥିବା ନେଇ ଏହି ଘଟଣା ସ୍ପଷ୍ଟ କରୁଥିବା ଆଉ କେତେଜଣ ୟୁଜର୍ସ ମତ ଦେଇଛନ୍ତି।