ନୂଆଦିଲ୍ଲୀ: ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମାଆ । ତ୍ୟାଗ ଆଉ ତପସ୍ୟାର ପ୍ରତୀକ ମାଆ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ମାଆ ଏଭଳି ଶବ୍ଦ ଯାହାକୁ ଶବ୍ଦରେ ବଖାଣି ହେବନି । ମା’ ଓ ସନ୍ତାନର ବନ୍ଧନ ମାତୃଗର୍ଭରୁ ହିଁ ହୋଇଥାଏ । ନିଜେ ଜଳି ସନ୍ତାନଙ୍କୁ ଆଲୋକ ଦେଖାଏ ମାଆ । ଆଉ ନିଜ ସନ୍ତାନ ପାଇଁ ଗୋଟେ ମା ସବୁକିଛି କରିବାକୁ ପ୍ରସ୍ତୁତ । ଏବେ ଠିକ୍ ସେପରି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମାଆ ରେଳ ଷ୍ଟେଶନର ଭିଡ଼କୁ ଖାତିର ନ କରି ନିଜ ପିଲାଙ୍କୁ କାଖେଇ ଡ଼୍ୟୁଟି କରୁଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗତ ୧୫ ତାରିଖରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ମହାକୁମ୍ଭ ଯିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ହଠାତ୍ ପ୍ଲାଟଫର୍ମ ପରିବର୍ତ୍ତନ ହେବା କାରଣରୁ ଅସମ୍ଭାଳ ଭିଡ ଦେଖାଯାଇଥିଲା । ଲୋକମାନେ ଟ୍ରେନ ଧରିବାକୁ ଧାଇଁବା ସମୟରେ ଦଳାଚକଟା ପରିସ୍ଥିତି ଦେଖାଯାଇଥିଲା । ଫଳରେ ୧୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ । ଦୁର୍ଘଟଣାର ପରେ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏବେ ଏଠାରେ ଡ଼୍ୟୁଟି କରୁଛନ୍ତି ଆରପିଏଫ କନଷ୍ଟେବଳ ରୀନା । ଯିଏ କି ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାରଣ ସେ ନିଜର ବର୍ଷକର ଶିଶୁକୁ ଛାତିରେ ବାନ୍ଧି ଡ଼୍ୟୁଟି କରୁଛନ୍ତ୍ି । ଭିଡ଼କୁ ଖାତିର ନ କରି ସେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ।
ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ଦେଖିବା ପରେ ଲୋକେ ଉକ୍ତ ମହିଳାଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ରୀନାଙ୍କ ଉତ୍ସର୍ଗୀକୃତତା ପାଇଁ ପ୍ରଶଂସା କରିଥିବା ବେଳେ ଆଉ କିଛି ଏପରି ବିପଦପୂର୍ଣ୍ଣ ପରିସ୍ଥିତିରେ ଏକ ଶିଶୁକୁ ବୋହି ନେବା ପାଇଁ ସମାଲୋଚନା କରିଛନ୍ତି ।