ପ୍ରଥମ ଥର ହେଲେ ବିଧାୟକ,ଏବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମଙ୍ଗ ଧରିଲେ ରେଖା ଗୁପ୍ତା । ହରିଆଣାର ଝିଅ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରେଖା ଏବେ ସାଲିମାରବାଗରୁ ବିଧାୟିକା ଅଛନ୍ତି । ଦିଲ୍ଲୀ ବିଜେପିର ମହାସଚିବ ଥିବାବେଳେ ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ବି ଅଛନ୍ତି ରେଖା । ନୂଆ ମୁଖ୍ୟମନ୍ତ୍ରୀ ଭାବେ ସେ ଆଜି ଶପଥ ନେବେ । ଏଥିଲାଗି ରାମଲୀଳା ମୈଦାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିିଥିଲା । ରେଖାଗୁପ୍ତା ସିଏମ୍ ରେସରେ ଆଗରେ ଥିଲେ । ବିଧାୟକ ଦଳ ବୈଠକରେ ବିଜେନ୍ଦ୍ର ଗୁପ୍ତା ଓ ପ୍ରବେଶ ବର୍ମା, ରେଖା ଗୁପ୍ତାଙ୍କ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଆଣିଥିଲେ । ପର୍ଯ୍ୟବେକ୍ଷକ ଭାବେ ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ଯୋଗଦେଇ ରେଖାଙ୍କ ନାଁ ଘୋଷଣା କରିଥିଲେ ।

ରେଖା ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଜିତି ବିଧାୟିକା ହୋଇଥିଲେ । ସେ ପିଲା ବେଳୁ ଆରଏସଏସର ସକ୍ରିୟା ସଦସ୍ୟ ରହିଛନ୍ତି । ଛାତ୍ର ସଂଗଠନ ଏବିଭିପି ମାଧ୍ୟମରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୪-୯୫ରେ ସେ ଦୌଲତ ରାମ କଲେଜରେ ସଚିବ ହୋଇଥିଲେ । ୧୯୯୫-୯୬ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘର ସଚିବ ହୋଇଥିଲେ । ପୁଣି ୧୯୯୬-୯୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ଅଧ୍ୟକ୍ଷ ହୋଇଥିଲେ ।

ରେଖା ଗୁପ୍ତା ୨୦୦୩-୨୦୦୪ ଯାଏ ଦିଲ୍ଲୀ ବିଜେପି ଯୁବ ମୋର୍ଚ୍ଚାର ସଚିବ ରହିଥିଲେ । ପରେ ୨୦୦୪ରୁ ୨୦୦୬ ଯାଏଁ ସେ ଯୁବ ମୋର୍ଚ୍ଚାର ରାଷ୍ଟ୍ରିୟ ସଚିବ ହୋଇଥିଲେ । ଏହାପରେ ସେ ୨୦୦୭ ଏପ୍ରିଲରେ ଉତ୍ତର ପିତାମପୁରାରୁ ସେ ଟିକେଟ ପାଇ କାଉନସିଲର ହୋଇଥିଲେ । ନଗର ନିଗମରେ କାଉନସିଲର ହେବା ପରେ ତାଙ୍କୁ ୨୦୦୭-୦୯ ଯାଏଁ ମହିଳା କଲ୍ୟାଣ ଏବଂ ବାଲ ବିକାଶ ସମିତିର ଅଧ୍ୟକ୍ଷର ଦାୟିତ୍ୱ ଦିଆଯାଇଥିଲା । ୨୦୧୦ ମସିହାରେ ତାଙ୍କୁ ଭାଜପାର ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ କରାଯାଇଥିଲା । ବର୍ତ୍ତମାନ ସମୟରେ ସେ ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରିୟ ଉପାଧ୍ୟକ୍ଷ ଅଛନ୍ତି । ଏହାସହ ସହ ସେ ଶାଲିମାର ବାଗରୁ କାଉନସିଲର ବି ଥିଲେ ।

ରେଖା ଗୁପ୍ତା ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ଶାଲିମାରବାଗ ସିଟରୁ ହାରିଥିଲେ । ୨୦୧୫ରେ ସେ ପାଖାପାଖି ୧୧ ହଜାର ଭୋଟରେ ବନ୍ଦନା କୁମାରୀଙ୍କଠାରୁ ହାରିଥିଲେ । ସେହିପରି ୨୦୨୦ରେ ସେ ମାତ୍ର ୩ ହଜାର ୪୪୦ ଭୋଟରେ ହାରିଥିଲେ । ହେଲେ ଏଥର ସେ ବନ୍ଦନା କୁମାରୀଙ୍କୁ ବହୁତ ବଡ ବ୍ୟବଧାନରେ ପରାଜିତ କରି ବିଧାୟିକା ହୋଇଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ରେଖା ହରିୟାଣାର ଜିନ୍ଦର ବାସିନ୍ଦା । ତାଙ୍କ ନିଜ ଗାଁ ଜିନ୍ଦର ନନ୍ଦଗଡରେ । ଏଠାରେ ତାଙ୍କର ଜେଜେ ଓ ପୂରା ପରିବାର ରହୁଥିଲେ । ରେଖାଙ୍କ ବାପା ଜୟ ଭଗବାନ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ନିଯୁକ୍ତି ପାଇବା ପରେ ଦିଲ୍ଲୀକୁ ଚାଲିଆସିଥିଲେ। ତେଣୁ ତାଙ୍କର ପୂରା ପରିବାର ଦିଲ୍ଲୀରେ ରହୁଥିଲେ । ରେଖା ଗୁପ୍ତାଙ୍କ ସ୍କୁଲଠାରୁ ଗ୍ରାଜୁଏସନ ଯାଏଁ ପଢା ଦିଲ୍ଲୀରେ ହୋଇଥିଲା । ରେଖା ୧୯୯୮ ମସିହାରେ ମନୀଷ ଗୁପ୍ତାଙ୍କୁ ବିବାହ କରିଥିଲେ । ମନୀଷ ଦିଲ୍ଲୀରେ ସ୍ପେୟାର ପାର୍ଟସର ବିଜନେସ କରୁଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *