ବକେୟା ଥିବା ଖାଦ୍ୟ ବିଲକୁ ୩୫ ବର୍ଷ ପରେ ପୈଠ କଲେ ବୃଦ୍ଧ

ମଙ୍ଗାଲୁରୁ: ୩୫ ବର୍ଷ ପରେ ପୈଠ କଲେ ଏକ ହୋଟେଲର ବକେୟା ବିଲ୍ । ଏହା ଶୁଣିବା ପରେ ଯେ, କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ହେଲେ ଜଣେ ବ୍ୟକ୍ତି ଦୀର୍ଘ ୩୫ ବର୍ଷ ତଳେ ଏକ ହୋଟେଲରେ ଖାଇଥିବା ଖାଦ୍ୟର ବିଲ୍ ନିକଟରେ ପୈଠ କରିଛନ୍ତି । ତାଙ୍କର ଏପରି ସଚ୍ଚୋଟତାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ମାଙ୍ଗାଲୁରୁର ଦେରଲକଟ୍ଟେର ବାସିନ୍ଦା ଏମ୍‌.ଏ. ମହମ୍ମଦ । ମହମ୍ମଦଙ୍କ ସଚ୍ଚୋଟତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୩୫ ବର୍ଷ ପୂର୍ବେ ମହମ୍ମଦ ଏକ କାମ ପାଇଁ ମୁଦିଗେରେର କୋଟିଗେହାର ଗାଁକୁ ଯାଇଥିଲେ। ସେଠାରୁ କାମ ସାରି ଫେରିବା ସମୟରେ ଗାଁର ପୁରୁଣା ଭାରତ ହୋଟେଲରେ କଡୁବୁ ଏବଂ ମାଛ ତରକରୀ ଖାଇଥିଲେ। ଖାଇବା ପରେ କାମ ବ୍ୟସ୍ତତା ସହିତ ହୋଟେଲରେ ଭିଡ଼ ଥିବା ହେତୁ ସେ ପଇସା ଦେବାକୁ ଭୁଲିଯାଇଥିଲେ। ଏହାପରେ ସେ ହୋଟେଲରୁ ବାହାରି ସିଧା ମାଙ୍ଗାଲୁରୁ ଫେରି ଆସିଥିଲେ। ଘରେ ପହଞ୍ଚିବା ପରେ ତାଙ୍କର ମନେ ପଡ଼ିଥିଲା କି ସେ ହୋଟେଲରେ ଖାଇବା ପରେ ପଇସା ଦେବାକୁ ଭୁଲି ଯାଇଛନ୍ତି।

ସେ ନିଶ୍ଚିତ କରିଥିଲେ ଯେ, ଆଗାମୀ ଦିନରେ ଯେବେ ବି କୋଟିଗେହାର ଯିବେ ତାଙ୍କର ବକେୟା ଥିବା ଖାଦ୍ୟ ବିଲ ପୈଠ କରିବେ। ଇତିମଧ୍ୟରେ ୩୫ବର୍ଷ ବିତି ଯାଇଥିଲେ ମଧ୍ୟ କୋଟିଗେହାର ଯିବାକୁ ତାଙ୍କୁ କେବେ ସୁଯୋଗ ମିଳି ନ ଥିଲା। ନିକଟରେ ଯେତେବେଳେ ସେ କାମ ପାଇଁ ପୁଣି କୋଟିଗେହାର ଯାଇଥିଲେ, ଏହି ସମୟରେ ତାଙ୍କର ପୁରୁଣା କଥା ମନେ ପଡ଼ିଯାଇଥିଲା। ମହମ୍ମଦ ଡେରି ନ କରି ୩୫ ବର୍ଷ ପୂର୍ବେ ଯେଉଁ ହୋଟେଲରେ ଖାଇଥିଲେ ସେଠାକୁ ଯାଇଥିଲେ। ହୋଟେଲଟି ଯେଉଁ ସ୍ଥାନରେ ରହିବା କଥା ସେଠାରେ ଥିଲା କିନ୍ତୁ ସମ୍ପ୍ରତି ହୋଟେଲ ମାଲିକଙ୍କ ପୁଅ ଅଜିଜ୍ ତାହାକୁ ପରିଚାଳନା କରୁଥିଲେ। ହୋଟେଲରେ ପହଞ୍ଚିବା ମାତ୍ରେ ମହମ୍ମଦ ଅଜିଜଙ୍କୁ ୩୫ ବର୍ଷ ପୁରୁଣା ବିଲ୍ ବିଷୟରେ ଜଣାଇ ଭୁଲ ପାଇଁ କ୍ଷମା ମାଗିଥିଲେ। ଯାହାକୁ ଶୁଣି ଅଜିଜ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହମ୍ମଦ କେବଳ ପୁରୁଣା ବିଲ୍ ଦେଇ ନ ଥିଲେ ବରଂ ପୁଣି ସେହି ହୋଟେଲରେ ଖାଦ୍ୟ ଖାଇ ବିଲ ପୈଠ କରି ଫେରିବା ପରେ ଆଶ୍ୱସ୍ତିର ନିଶ୍ୱାସ ନେଇଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *