ଆପତ୍ତିଜନକ ମନ୍ତବ୍ୟ ଦେବା ନେଇ ମନୋଜ ମିଶ୍ରଙ୍କ ନାଁରେ ଏତଲା

ଭୁବନେଶ୍ୱର: ଓଲିଉଡ୍ କଳି ପୁଣି ତୀବ୍ର ହେବାରେ ଲାଗିଛି । ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଦିଆଯାଇଛି ଏତଲା । ମଙ୍ଗଳବାର ଓଡ଼ିଶା ଫିଲ୍ମ ଆଣ୍ଡ୍ ଟିଭି ନିର୍ଦ୍ଦେଶକ ସଂଘ କଟକ ସାଇବର ଥାନାରେ ଏହି ଏତଲା ଦେଇଛି । ଓଡ଼ିଆ ସିନେ ନିର୍ଦ୍ଦେଶକମାନଙ୍କୁ ଆକ୍ଷେପ କରି ମନୋଜ ସାମାଜିକ ଗଣମାଧ୍ୟମରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାକୁ ନେଇ ସଂଘ ଏତଲା ସାଇବର ଥାନାରେ ଏତଲା ଦେଇଛି । ଏହାର କାର୍ଯ୍ୟାନୁଷ୍ଠାନ ଦାବି ବି କରିଛନ୍ତି। ଏହାକୁ ନେଇ ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ନିର୍ଦ୍ଦେଶକ ସଂଘ ବିରୋଧରେ ସେ ଭୁବନେଶ୍ୱର ସାଇବର ଥାନାରେ ମଧ୍ୟ ଏତଲା ଦେଇଛନ୍ତି। ତାଙ୍କ ଚଳଚ୍ଚିତ୍ର ମାଇଣ୍ଡଗେମ୍‌କୁ ଫ୍ଲପ୍ ହୋଇଥିବା କହି ନିର୍ଦ୍ଦେଶକ ସଂଘ ଅପପ୍ରଚାର କରୁଥିବା ଶ୍ରୀଧର ଅଭିଯୋଗ କରିଛନ୍ତି। ଏପରିକି ଫିଲ୍ମର କ୍ଷତି ହେଲେ ସେ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ ହେଲେଣି ବୋଲି ଶ୍ରୀଧର କହିଛନ୍ତି।

ନିର୍ଦ୍ଦେଶକ ସଂଘ ଅଭିଯୋଗ ଅନୁଯାୟୀ, ମନୋଜଙ୍କ ଏଭଳି ମନ୍ତବ୍ୟ ଓଡ଼ିଆ ସିନେ ନିର୍ଦ୍ଦେଶକମାନଙ୍କ ପ୍ରତି ଅପମାନସୂଚକ ହୋଇଛି। ଏଥିସହ ସିନେମାକୁ ଭଲ ପାଉଥିବା ଦର୍ଶକଙ୍କ ନିକଟକୁ ଏକ ଖରାପ ବାର୍ତ୍ତା ପ୍ରସାରିତ ହେଉଛି। ମନୋଜଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି ହୋଇଛି। ସଂଘ ପକ୍ଷରୁ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ, ଅବ୍‌ତାର ସିଂ, ହରିଶ ମହାନ୍ତି, ତାପସ ସରଘରିଆ, ଜ୍ୟୋତି ଦାସ, ଦେବୁ ପଟ୍ଟନାୟକ, ଗିରିଶ ମହାନ୍ତି, ବବି ଇସ୍‌ଲାମ, ସଂଗ୍ରାମ ମହାନ୍ତି ପ୍ରମୁଖ ମେଳି ହୋଇ ମନୋଜଙ୍କ ବିରୋଧରେ ବାହାରିଛନ୍ତି। ଏନେଇ କଟକ ସାଇବର ଥାନା ଆଇଆଇସି ରଶ୍ମିତା ଜେନା କହିଛନ୍ତି, ନିର୍ଦ୍ଦେଶକ ସଂଘ ପକ୍ଷରୁ ଏତଲା ସହ ପେନ୍ ଡ୍ରାଇଭ୍‌ରେ କିଛି ଭିଡିଓ ସମ୍ବଳିତ ତଥ୍ୟ ପ୍ରଦାନ କରାଯାଇଛି।

ଉକ୍ତ ପେନ୍ ଡ୍ରାଇଭ ତଥ୍ୟକୁ ଦେଖିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ଏତଲା ନେଇ ମନୋଜଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅପରପକ୍ଷରେ ପ୍ରଯୋଜକ ମାର୍ଥା ଅଭିଯୋଗ କରିଛନ୍ତି ଯେ, ନିର୍ଦ୍ଦେଶକ ସଂଘ ପକ୍ଷରୁ ମନୋଜଙ୍କ ନାଁରେ ଏତଲା ଦିଆଯିବା ସହ ଗଣମାଧ୍ୟମରେ ବାଇଟ୍ ଦିଆଯାଉଛି। ଗଣମାଧ୍ୟମରେ ମାଇଣ୍ଡଗେମ୍ ଫ୍ଲପ୍ ହୋଇଛି ବୋଲି ସଂଘ ଅପପ୍ରଚାର କରୁଛି। ବବି ଇସ୍‌ଲାମ୍ ନାମକ ଜଣେ ନିର୍ଦ୍ଦେଶକ ସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମିଡିଆରେ ମାଇଣ୍ଡଗେମ୍‌କୁ ଫ୍ଲପ୍ ବୋଲି କହିଛନ୍ତି। ମାଇଣ୍ଡଗେମ୍ ଚଳଚ୍ଚିତ୍ର ଆଗକୁ ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ୍ ହେବାକୁ ଅଛି। ଏଥିରେ ସେ ବହୁତ ଟଙ୍କା ବିନିଯୋଗ କରିଛନ୍ତି। ଏହି ଅପପ୍ରଚାର ପାଇଁ ତାଙ୍କର ଯେଉଁ କ୍ଷତି ହେବ ସେଥିପାଇଁ କିଏ ଦାୟୀ ହେବ ବୋଲି ମାର୍ଥା ପ୍ରଶ୍ନ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *