ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନଙ୍କ ନକଲି ଆପତ୍ତିଜନକ ଭିଡ଼ିଓକୁ ନେଇ ଭଙ୍ଗାରୁଜା । ହାଇଦ୍ରାବାଦର ଏକ ଘରୋଇ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ଆକ୍ରମଣ କରି କରାଯାଇଛି ଭଙ୍ଗାରୁଜା । ଅଲ୍ଲୁ ଅର୍ଜ୍ଜୁନଙ୍କ ପ୍ରଶଂସକ କହି କିଛି ଲୋକ ଏହି ଭଙ୍ଗାରୁଜା କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛି । ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ହେଲେ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ । ଏହା ପଛରେ ରାଜନୈତିକ କାରଣ ଥିବା କୁହାଯାଉଛି।
ଆସନ୍ତା ଡ଼ିସେମ୍ବର ୫ ତାରିଖରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ମୁକ୍ତିଲାଭ କରିବ । ଏବେ ଅଲ୍ଲୁ ଅର୍ଜ୍ଜୁନ ତାଙ୍କର ଏହି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ହେଲେ କିଛିଦିନ ହେବ ସୋସିଆଲ୍ ମିଡିଆରେ ଅଲ୍ଲୁ ଅର୍ଜ୍ଜୁନଙ୍କୁ ପସନ୍ଦ କରୁ ନ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅଭିନେତା ୱାଇଏସଆର କଂଗ୍ରେସକୁ ସମର୍ଥନ କରୁଥିବା ନେଇ ଅଲ୍ଲୁଙ୍କ ପ୍ରଶଂସକମାନେ ରାଗିଛନ୍ତି। ଏହି କାରଣରୁ ଅନେକ ୟୁଟ୍ୟୁବ୍ ଚ୍ୟାନେଲରେ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଅନେକ ପ୍ରକାରର ଭୁଲ ଏବଂ ମିଥ୍ୟା ଖବର ପ୍ରଚାର କରାଯାଉଛି। ଏମିତି କି ଅନେକ ନକଲି ୟୁଟ୍ୟୁବ୍ ଥମ୍ବନେଲ ପୋଷ୍ଟ କରାଯାଉଛି। ନିକଟରେ ଅଲ୍ଲୁ ଅର୍ଜ୍ଜୁନଙ୍କ ଏକ ନକଲି ଆପତ୍ତିଜନକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ଏହି ଭିଡ଼ିଓକୁ ଦେଖିବା ପରେ ପ୍ରଶଂସକମାନେ ହାଇଦ୍ରାବାଦର ଶ୍ରୀନଗର କଲୋନିରେ ଥିବା ଏକ ୟୁଟ୍ୟୁବ ଚ୍ୟାନେଲର କାର୍ଯ୍ୟାଳୟ ପଶି ବଙ୍ଗାରୁଜା କରିଥିଲେ । ଆକ୍ରମଣକାରୀ କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟର ଏବଂ ଡେସ୍କଟପ୍ ଭାଙ୍ଗି ଦେଇଥିଲେ। ଏହି ଘଟଣାକୁ ନେଇ ପୁଲିସ କହିଛିି, ଏଯାବତ ଆମ ପାଖରେ ଏହାକୁ ନେଇ କୌଣସି ପ୍ରକାର ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ ନିଶ୍ଚିତ ତଦନ୍ତ ଆରମ୍ଭ କରିବୁ।
ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ୨: ଦ ରୁଲ’ ସିନେମାର ଟ୍ରେଲରକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ‘ପୁଷ୍ପା ୨’ ସାରା ବିଶ୍ୱରେ ମୁକ୍ତିଲାଭ କରିବ, ଯାହାର ପ୍ରମୋସନ କାମ ଆରମ୍ଭ ହୋଇ ଯାଇଛି । ତେବେ ଏହାରି ମଧ୍ୟରେ ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି । ‘ପୁଷ୍ପା ୨: ଦ ରୁଲ’ର ଟ୍ରେଲର ୧୭ ନଭେମ୍ବରରେ ପାଟନାରେ ରାତି ୦୬.୦୩ରେ ମୁକ୍ତିଲାଭ କରିବ ।