ଭୋଳାନାଥଙ୍କ ଅପାର ମହିମା। ତାଙ୍କୁ ଯିଏ ଭକ୍ତି ମନରେ ଡାକେ, ସେ ନିଶ୍ଚିତ ଶୁଣନ୍ତି। ହେଲେ ଭୋଳାବାବାଙ୍କୁ ଡାକିବାର ଏକ ମାଧ୍ୟମ ହେଉଛନ୍ତି ନନ୍ଦୀ। ଯିଏ ଭକ୍ତଙ୍କ ମନସ୍କାମନା ଯାଇ ମହାଦେବଙ୍କୁ କୁହନ୍ତି। ମହାଦେବ ମନ୍ଦିର ଆଗରେ ବସିରହିଥିବା ନନ୍ଦିଙ୍କର ବି ପୂଜା ପାଆନ୍ତି । ନିଜର ଯାହା ମନସ୍କାମନା ଥିବ ନନ୍ଦିଙ୍କ କାନରେ କହିଥିବେ । କିନ୍ତୁ ଆପଣ ଜାଣନ୍ତି କି, ମହାଦେବଙ୍କ ସାମ୍ନାରେ ବସି ରହିଥିବା ବାବାଙ୍କ ବାହାନ ନନ୍ଦି ଗୋଟିଏ ଗୋଡକୁ କାହିଁକି ଉଠାଇ ବସିଛନ୍ତି । ଏହା ପଛରେ ଅନେକ ପୌରାଣିକ କାହାଣୀ ରହିଛି ।
ପୌରାଣିକ କଥା ଅନୁସାରେ- ନନ୍ଦି ଦେବ, ଭଗବାନ ଶିବଙ୍କ ଭକ୍ତ ସହ ଭଗବାନ ଶିବଙ୍କ ବାହନ ମଧ୍ୟ । ମହାଦେବ ମନ୍ଦିରରେ ଶିବଙ୍କ ଗମରା ଆଗରେ ନନ୍ଦି ଦେବ ବିରାଜମାନ ହୋଇ ରହିଥାନ୍ତି । କୁହାଯାଏ ମହାଦେବ ଶିବଙ୍କ ପୂଜା କରିବା ସହ ନନ୍ଦିଙ୍କ ପୂଜା କରିବା ବି ଜରୁରୀ ହୋଇଥାଏ । ଯାହାଙ୍କ ମାଧ୍ୟମରେ ମହାଦେବ ତାଙ୍କ ଭକ୍ତଙ୍କ ଡାକ ଶୁଣିଥାନ୍ତି ।
ନନ୍ଦି ଦେବ ସବୁବେଳେ ମହାଦେବଙ୍କ ଗମରା ସାମ୍ନାରେ ବସି ରହିଥାନ୍ତି, ଆଉ ବାବାଙ୍କୁ ଦେଖୁଥାନ୍ତି, ଯାହା ଦର୍ଶାଇଥାଏ, ଜୀବନର ଉଦ୍ଦେଶ୍ୟ ଏକତା ଏବଂ ଧର୍ମ ଅଟେ । ନନ୍ଦି ଦେବ ଖୁସି ପ୍ରତୀକ ।ମନ୍ଦିରରେ, ଆମେ ସବୁବେଳେ ନନ୍ଦିଙ୍କୁ ଶିବଲିଙ୍ଗ ସାମ୍ନାରେ ଧ୍ୟାନମଗ୍ନ ଅବସ୍ଥାରେ ବସିଥିବା ଦେଖୁ । ଶିବଲିଙ୍ଗ ଆଗରେ ବସିଥିବା ନନ୍ଦି ସୂଚିତ କରେ ଯେ ଜଣେ ମଣିଷ ପ୍ରକୃତିରୁ ବିମୁଖ ହେବା ଉଚିତ ଏବଂ ତାଙ୍କର ସମସ୍ତ ଧ୍ୟାନ କେବଳ ଭଗବାନଙ୍କ ଆଡକୁ ଯିବା ଉଚିତ । ମଣିଷ ସର୍ବଦା ପରମେଶ୍ୱର ଉପରେ ଧ୍ୟାନ ଦେବା ଉଚିତ ।
ନନ୍ଦି ସତ୍ୟ, ଧର୍ମ, ଶାନ୍ତି, ପ୍ରେମ- ଏହି ଚାରି ଗୋଡରେ ବସିଥାନ୍ତି । ଏହି ଚାରିଟି ମାଧ୍ୟମରେ ହିଁ ମୋକ୍ଷ ଏବଂ ଜ୍ଞାନ ପ୍ରାପ୍ତିର ମାଧ୍ୟମ । ନନ୍ଦିଙ୍କ ପରି ଧ୍ୟାନମଗ୍ନ ହୋଇ ଈଶ୍ୱରଙ୍କ ଆଗରେ ବସିଲେ ଆତ୍ମା –ପରମାତ୍ମାଙ୍କ ମିଳନ ହୋଇପାରିବ । ଯାହା ମାନବ ଜନ୍ମର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ଅଟେ ।ସବୁ ଜିନିଷରେ ଈଶ୍ୱରଙ୍କୁ ଦେଖିବା ଏବଂ ଈଶ୍ୱରଙ୍କ ପ୍ରତ୍ୟେକ ସୃଷ୍ଟିକୁ ଭଲ ପାଇବା ପାଇଁ ନନ୍ଦି ପରାମର୍ଶ ଦିଅନ୍ତି । ଜୀବନର ଲକ୍ଷ୍ୟ ହେଉଛି ଭଗବାନଙ୍କୁ ହୃଦୟଙ୍ଗମ କରିବା ବୋଲି ନନ୍ଦି ସୂଚାଇ ଦେଉଥାନ୍ତି ।