ମଧ୍ୟପ୍ରଦେଶ: ଭାରତରେ ଭିନ୍ନ ଭିନ୍ନ ମନ୍ଦିର ରହିଛି । ଆଉ ପ୍ରତ୍ୟେକ ମନ୍ଦିରର ସ୍ୱତନ୍ତ୍ର ପରିଚୟ ବି ଥାଏ । ମନ୍ଦିରଗୁଡ଼ିକ ମଧ୍ୟରେ ଏପରି କେତେକ ରହିଛି ଯାହା ବାସ୍ତବରେ ଅନନ୍ୟ ତଥା ଅଦ୍ୱିତୀୟ । କିନ୍ତୁ ମଧ୍ୟପ୍ରଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଭଗବାନ ହନୁମାନଙ୍କୁ ଜଣେ ଡାକ୍ତର ଭାବରେ ପୂଜା କରାଯାଏ ।
ମଧ୍ୟପ୍ରଦେଶର ଭିନ୍ଦ୍ ଜିଲ୍ଲା ସ୍ଥିତ ଦନ୍ଦରୋଆ ଧାମରେ ରହିଛି ଏହି ମନ୍ଦିର । ଏହା ଡାକ୍ତର ହନୁମାନ ମନ୍ଦିର ଭାବରେ ବେଶ୍ ପରିଚିତ । ଏଠାରେ ରାମଭକ୍ତ ସଙ୍କଟମୋଚକ ହନୁମାନ୍ ଜଣେ ଡାକ୍ତର ରୂପରେ ପୂଜିତ । ଡାକ୍ତରଙ୍କ ପରି ହନୁମାନ୍ଙ୍କ ଗଳାରେ ଲମ୍ବିଥାଏ ଷ୍ଟେଥୋସ୍କୋପ୍ । ପିନ୍ଧିଥାନ୍ତି ଡାକ୍ତରୀ ପୋଷାକ – ଧଳା କୋର୍ଟ ବା ଆପ୍ରନ୍ । ଏଣୁ ଡାକ୍ତର ହନୁମାନ୍ ମନ୍ଦିର ନାମରେ ଏହା ପ୍ରସିଦ୍ଧି ଲାଭ କରିଛି ।
ଡାକ୍ତର ହନୁମାନ୍ଙ୍କ ମହିମା ଅପାର । ପ୍ରତିଦିନ ଏଠାକୁ ଦୁରାରୋଗ୍ୟରୁ ମୁକ୍ତି ପାଇବା ତଥା ଜୀବନରେ ସଫଳ ହେବା ଆଶାରେ ହନୁମାନ୍ଙ୍କ କୃପା ଭିକ୍ଷା କରିବାକୁ ଆସିଥାନ୍ତି ଭକ୍ତ । କେବଳ ଆଖପାଖର ନୁହେଁ, ଦେଶବିଦେଶରୁ ବି ଏଠାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଭୟଭ୍ରାନ୍ତିରୁ ମୁକ୍ତି ମଧ୍ୟ ଦିଅନ୍ତି ପରମବୀର ହନୁମାନ୍ଜୀ । ମନ୍ଦିରର ଇଷ୍ଟଦେବତା ହନୁମାନ୍ ଡାକ୍ତର ହନୁମାନ୍ ନାମରେ ପରିଚିତ ହେବା ପଛରେ ରହିଛି ରୋମାଞ୍ଚଭରା ସତ କାହାଣୀ ।
ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଦନ୍ଦରୋଆରେ ଜଣେ ସାଧୁ ରହୁଥିଲେ । ଯାହାଙ୍କ ନାମ ଥିଲା ଶିବକୁମାର ଦାସ । ସାଧୁ ଜଣକ ହନୁମାନ୍ଙ୍କର ପରମ ଭକ୍ତ ଥିଲେ । ଏକଦା ସେ ଜଟିଳ କର୍କଟ ରୋଗରେ ପୀଡ଼ିତ ହୋଇଗଲେ । ବହୁକଷ୍ଟ ଭୋଗ କଲେ । ଭକ୍ତର କଷ୍ଟ ସହିପାରନ୍ତେ କିପରି ଅବା ଭଗବାନ୍ । ସ୍ୱୟଂ ହନୁମାନ୍ ଡାକ୍ତର ବେଶରେ ଆସି ପହଞ୍ଚିଲେ ଶିବକୁମାରଙ୍କ ନିକଟରେ । ତାଙ୍କର ଚିକିତ୍ସା କଲେ । ଶିବକୁମାର କର୍କଟ ମୁକ୍ତ ହୋଇଗଲେ । ଏହି ଅଲୌକିକ ଘଟଣା ଚାହୁଁ ଚାହୁଁ ଆଖପାଖରେ ପ୍ରଚାରିତ ହୋଇଗଲା । ଯିଏ ବି ଶରୀର କଷ୍ଟ ଭୋଗିଲେ ସେ ଆସି ପହଞ୍ଚିଲେ ହନୁମାନ୍ଙ୍କ କୃପା ପାଇବା ଆଶାରେ । ଏହିପରି ଭାବେ ଡାକ୍ତର ହନୁମାନ୍ ପ୍ରସିଦ୍ଧ ହୋଇଗଲେ ।