ବୋଉ କ୍ୟାଲେଣ୍ଡର ରୁ ଗଣି ଗଣି କହିଲା।ଏ ଚୈତ୍ର ମାସ ରେ ତାର ଚଉଦ ଦିନ ଉପାସ ପଡୁଛି ବୋଲି।ବୋଉ କଥା ଶୁଣି ମତେ ଖୁବ୍ ବିରକ୍ତ ଲାଗୁଥିଲା।ଏ ଉପାସ ବାଆ ରେ ମୋର ବିଶ୍ୱାସ ନଥାଏ ଏତେ।ତେଣୁ ବିରକ୍ତ ରେ କହିଲି,”ୟାଡେ ପଛେ ଇନ୍ସୁଲିନ ନେ, ଡାକ୍ତର ସମ୍ପୂର୍ଣ୍ଣ ଭାବେ ବାରଣ କରୁ ଉପାସ ରେ ରହିବାକୁ କିନ୍ତୁ ତୁ ଆମର ସବୁ ଉପାସ ବାଆ କୁ ମୁଣ୍ଡେଇକି ରଖିଥା!”
ବୋଉ ମୋ କଥା ଶୁଣି ନ ଶୁଣିଲା ପରି ଦାଣ୍ଡ କବାଟ ଖୋଲିଲା।ପୂର୍ବରୁ ଧୁଆଧୁଇ ସାରିଥିବା ପନ୍ଥେଇ ରେ ମୁରୁଜ ଦେବା ଆରମ୍ଭ କଲା।ମୁଁ ବୋଉ ପଛେ ପଛେ ଗଜର ଗଜର ହେଇ ଦାଣ୍ଡ ଯାଏଁ ବି ଗଲି।ବୋଉ ହାତର ନାଲି, ନୀଳ, ହଳଦିଆ ମୁରୁଜ ରେ ପନ୍ଥେଇ ଏବେ ନୂଆ ବୋହୁ ପରି ଚହଟି ଉଠୁଥିଲା।
ମୁଁ ଜାଣିଚି ମୁଁ ଯେତେ କହିଲେ ବି ବୋଉ ସେଇୟା ହିଁ କରିବ ଯାହା ସେ ଏତେ ବର୍ଷ ହେଲା କରି ଆସୁଛିତେଣୁ ବୋଉ ଆଡୁ ନଜର ହଟେଇ ମୁଁ ଏଥର ରୋଷେଇ ଘରେ ପଶିବାକୁ ଜରୁରୀ ମନେ କଲି।ରୋଷେଇ ବାସ ସାରିଲେ ପୁଣି ମତେ ଅଫିସ ବାହାରିବାର ଥିଲା।ବୋଉ ତାର ଭୋଗ ଡାଲା ସଜାଡି ପଣା ପାଇଁ ବେଲ ଭାଙ୍ଗୁଥିଲା।
କେବେ କେବେ ଏ ଗୋଟିଏ ପ୍ରଶ୍ନ ମୋ ମନକୁ ବାରମ୍ବାର ଆସେ।ସଂସାର ନଈ ରେ ବୋଉର ପରିଚୟ କଣ!ବୋଉ ନଉକା ନା ନାଉରୀ!ମୋ ପାଇଁ ଉଭୟ ବୋଧେ ବୋଉ; ଯିଏ ଆଜି ଯାଏଁ ଆହୁଲେଇ ଚାଲିଛି ମତେ।
ବେଳେ ବେଳେ ବୋଉ ଉପରେ ରାଗି ଯିବା ପରେ ମତେ ଖୁବ୍ କଷ୍ଟ ଲାଗେ।ଏବେ ହୁଏତ ସେଇ ସମାନ କିସମର କଷ୍ଟ ଟିକକ ପୁଣି ମନ୍ଥେଇ ଦେଉଥିଲା ମୋ ଛାତିକୁ।ବୋଉ ଶଙ୍ଖ ଫୁଙ୍କି,ପୂଜା ସାରି ଡାକ ଦେଲା ମତେ; ଜୁହାର ହବାକୁ।ମୁଁ ତର ତର ରେ ଆଣ୍ଠୁ ମାଡି ଜୁହାର ହେଉ ହେଉ ଦୁବ ପତ୍ରରେ ଛିଞ୍ଚି ଦେଲା ପନ୍ଥେଇ ପାଣି ଟୋପେ।ଅଫିସ ରେ ଟିକେ ଫୁରସତ ମିଳିଲେ ବୋଉ ହିଁ ମନେ ପଡୁଥାଏ ଆଜି।ବୋଉ ଏତେ ଉପାସ ବାଆ କରି ପାଏ କଣ!
ସେଦିନ ଅଫିସ ରୁ ଫେରିବା ବିଳମ୍ବ ହେଲା।ଖାଇ ସାରି ବୋଉ କୋଳରେ ମୁଣ୍ଡ ଗୁଂଜି ଶୋଇଥାଏ।ମୁଣ୍ଡ ବିନ୍ଧା କାରଣରୁ ବୋଉ ଆଜି ମୁଣ୍ଡ ଘଷି ଦେଉଥାଏ ମୋର।ଆଖି ମୋର ଆସ୍ତେ ଆସ୍ତେ ମୁଦି ହେଇ ଆସୁଥାଏ।ବୋଉ ଏତିକିବେଳେ ମତେ ଆରମ୍ଭ କଲା, “ସବୁବେଳେ ତ ଗଜର ଗଜର ହେବୁ,ସବୁ କଥାରେ ବିରକ୍ତ ହେଇ ଜାବତ୍ୟ ଚିନ୍ତା ମୁଣ୍ଡକୁ ନେବୁ,ମୁଣ୍ଡ ତୋର ବିନ୍ଧିବନି ତ କାହାର ବିନ୍ଧିବ!”
ବୋଉ ଏମିତି କଥା କହିବା ବେଳେ କେବେ କେବେ ମତେ ସେ ଗୋଟେ ଗୁମର ପେଡି ପରି ଲାଗେ ଆଉ କେବେ କେବେ ଗୋଟେ ଖୋଲା ବହି ପରି।ବୋଉ କଣ କେବେ ଚିନ୍ତା କରେନି, ବିରକ୍ତ ହୁଏନି।କାଇଁ ତାର କେବେ ମୁଣ୍ଡ ବିନ୍ଧେନି ତ।ମୁଁ ବୋଉକୁ କଥା ଛଳରେ ପଚାରିଲି।
“ମୁଁ କଣ ତୁଚ୍ଛା କୁ ଗଜର ଗଜର ହୁଏ!ଏଇ ଯୋଉ ବାରମାସୀ ମଙ୍ଗଳ ବାର କରୁଚୁ ପୁଣି ଚୈତ୍ର ମଙ୍ଗଳ ବାର କରୁଚୁ କଣ ତା ଭିତରେ ଫରକ!ଯଦି କହୁଚୁ ଚୈତ୍ର ମଙ୍ଗଳ ବାର ଛୁଆ ଙ୍କ ପାଇଁ କରାଯାଏ ତେବେ କର ଆରଟା ଛାଡି ଦେଉନୁ କାହିଁକି!ତୁ ତ ଜାଣିଛୁ ଉପାସ ତତେ ସମ୍ପୂର୍ଣ୍ଣ ମନା ବୋଲି! ଏଥର ଡାକ୍ତର କେତେ ରାଗିଲା କହିଲୁ ଯେତେବେଳେ ସୁଗାର କମି ତୁ ଚେତାଶୂନ୍ୟ ହେଇଗଲୁ!”
ବୋଉ ର ମୁହଁ ର ରଙ୍ଗ ହଠାତ ଉଡ଼ିଗଲା।ଭାରି ବିଷର୍ଣ୍ଣ ଦିଶିଲା ତା ମୁହଁ ଏଥର ମତେ।ଅସହାୟ ପରି ଘଡ଼ିଏ ଉପରକୁ ଚାହିଁଲା ବୋଉ।
ମତେ ଲାଗିଲା ଯେମିତି ଏ ପ୍ରଶ୍ନ ପଚାରି ମୁଁ ଗୋଟେ ବିରାଟ ବଡ଼ ଭୁଲ କରି ଦେଇଛି।ତା ନୀରବତା କୁ ଭାଙ୍ଗିବାକୁ ଯାଇ ପୁଣି କହିଲି ତୋ ଭଲ ପାଇଁ କହୁଥିଲି।ତୁ ଯଦି ନ ଚାହୁଁଚୁ କର ତୋର ଉପାସ ବାଆ।ଦେହ ମୁଣ୍ଡ ହେଲେ ମତେ କହିବୁନି।
“ଏ ଉପାସ ମୁଁ ବାହାଘର ପରଠୁ କରି ଆସୁଛି ରେ ମିମି।ତୋ ଜେଜେ ମାଆ କହିଥିଲେ ମଙ୍ଗଳବାର କଲେ ସ୍ୱାମୀ ର ରିଷ୍ଟ ସବୁ ଖଣ୍ଡନ ହୁଏ।ସେବେଠୁ ତ କରୁଛି ଯେ କରୁଛି; ଏବେ କେମିତି ଛାଡ଼ିଦେବି କହିଲୁ!
ଉତ୍ତର ରେ ମୁଁ ଚମକି ପଡିଲି।ବୋଉ କଣ ଏ ମଙ୍ଗଳବାର ବାପା ଙ୍କ ରିଷ୍ଟ ଖଣ୍ଡନ ପାଇଁ କରେ!ଯୋଉ ଲୋକ ନିଜେ ହିଁ ଗୋଟେ ରିଷ୍ଟ ହେଇ ବୋଉ ଜୀବନ ଦୁର୍ବିସହ କରିଦେଲା, ତା ପାଇଁ ପୁଣି ଉପାସ!ବାପା ଙ୍କ ଠୁ ବୋଉ ତ ଦୀର୍ଘ ପନ୍ଦର ବର୍ଷ ଧରି ଅଲଗା ହେଲାଣି।ବାପା ଙ୍କ ମୁହଁ ବି ମୋର ଆଉ ମନେ ପଡୁନି ଠିକ ରେ।ମନେ ପଡେ କେବଳ ଗୋଟିଏ ଦୃଶ୍ୟ।ବର୍ଷା ରାତି ରେ ବୋଉକୁ ପାଦରେ ଏଡେଇ ଦେଇ ବାପାଙ୍କର ପୁରୁଷ ପଣିଆ ଆଉ କାହାର ଢେରା ଟିଏ ପାଲଟି ଯିବାର ଦୃଶ୍ୟ।ବୋଉ ଆଖିର ଲୁହ ସବୁ ବୋହି ବୋହି ଥକି ଯିବାର ଦୃଶ୍ୟ।
ମୁଁ ବୋଉକୁ ଚାହିଁଲି।ବୋଉ କାନ୍ଦୁ ନଥିଲା କିନ୍ତୁ କାନ୍ଦିବା ମୁହଁର ଚିତ୍ର ସବୁ ପରସ୍ତ ପରସ୍ତ ହେଇ ଉତ୍ତୁରି ଆସୁଥିଲେ ତା ଆଖିରୁ।ବୋଉକୁ କିଛି ନକହି ଏଥର ମୁଁ ତା କୋଳରେ ଶୋଇ ପଡିବାର ଅଭିନୟ କଲି କାରଣ ମୁଁ ବୋଉର କଥାକୁ ସମର୍ଥନ କି ବାରଣ କରିବାର ଅବସ୍ଥାରେ ନଥିଲି।
ମୁଁ ଆଲାରାମ ଦେଇଥିଲି।କିନ୍ତୁ ପୁରୁଣା ଅଭ୍ୟାସ ପରି କାମ ଥିଲେ ଆଲାରାମ ବାଜିବା ପୂର୍ବରୁ ହିଁ ମୋ ନିଦ ଭାଙ୍ଗି ସାରି ଥିଲା।ଚୈତ୍ର ମଙ୍ଗଳବାର ନିହାତି ଗୋଟେ ଛଟା ଦିନ।ଅତଏବ ମତେ ମୋର ପୂଜା କାମ ଶୀଘ୍ର ସାରି ରୋଷେଇ ବାସ କରି ଠିକ ସମୟରେ ବାହାରିବାର ଥିଲା ଅଫିସ।
ମୁଁ ତର ତର ହେଇ ଗାଧୁଆ ଘରେ ପସିଲି।ଓଦା ସର ସର ମୁଣ୍ଡକୁ ଆଜି ହେୟାର ଡ୍ରାୟର ରେ ଶୁଖେଇ ବାକୁ ସମୟ ନଥିଲା ଯଦିଓ ମୋର ଭୀଷଣ ଥଣ୍ଡା ଦେହ ଏବଂ ପାଣି ମୋ ଦେହରେ ଏତେ ଯାଏନି।
ମୁଁ ମୋ ବାଲକୋନି ରେ ତିଆରି ଥିବା ଛୋଟ ପନ୍ଥେଇକୁ ସଜେଇଲି ମୁରୁଜ ର ଚିତ୍ରରେ, ଥାକ ଥାକ ମନ୍ଦାର ରେ ହସି ଉଠିଲା ପଂଥେଇ।ଝୁଣା,ଦୀପ, ଧୂପ ର ବାସ୍ନାରେ ସଂଚରି ଗଲା ଚୈତ୍ର।ନିଦ ଟଳ ମଳ ଶେଯରୁ ଉଠେଇଲି ତିନି ବର୍ଷର ପୁଅକୁ,ତା ହାତରେ ମୋ ହାତ କୁ ଛନ୍ଦି ଜୁହାର କରୁ କରୁ ଛିଞ୍ଚି ଦେଲି ଦୁବରେ ତା ଉପରେ ପନ୍ଥେଇ ପାଣି ଟିକେ।
ଫେରି ଆସି ବୋଉ ଫଟୋ ରେ ଏଥର ଦେଲି ଧଳା ରଙ୍ଗର ଫୁଲ କିଛି।ବୋଉ ସିନ୍ଦୁର ଟୋପା ପିନ୍ଧି ଫଟୋ ରେ ବି ଦାଉ ଦାଉ ଦିଶୁଥିଲା ଆଜି; ଠିକ ତା ହାତ ଗଢ଼ା ପନ୍ଥେଇ ଟିଏ ପରି।
ଫର୍ଚ୍ଛା ହେଇ ଆସୁ ଥାଏ ବାହାରେ।ମୋ ବାଲକୋନି ରୁ ଦିଶୁଥିବା ରାସ୍ତା ଦାଢ଼ ନିମ୍ବ ଗଛର କଢିରେ ଏବେ କେବଳ ଚୈତ୍ର ର ହିଁ ଦୃଶ୍ୟ; ଯେଉଁଠୁ ମୋ ଘର ଭିତରକୁ ମୋ ଭିତରକୁ ବୋଉପଣ ଆଉ ଚୈତ୍ର ର ଥିଲା ଅବାଧ ପ୍ରବେଶ।
ମୁଁ ସାମାନ୍ୟ ହସିଲି;ବୋଉପଣ ଏକ ଅକୃତ୍ରିମ ସଂଚରଣ।ଯାହା ଏକ ନିର୍ଦ୍ଧିଷ୍ଟ ଋତୁରେ ସଂଚରିତ ହୁଏ ପ୍ରତ୍ୟକ ନାରୀକୁ।ମୁଁ ଏଥର ପୁଣିଥରେ ବୋଉ ଫଟୋ କୁ ଚାହିଁଲି ମତେ ଲାଗିଲା ବୋଉ ହସି ହସି ବୋଧେ ମୋ କଥାରେ ହୁଁ ମାରିଲା।
ସ୍ୱାଗତିକା ମିଶ୍ର
ଯୋଗାଯୋଗ-8249802809