ପ୍ରୟାଗରାଜ: କୋଟିପତି ଡ଼ଙ୍ଗା ଚାଳକଙ୍କ ମଉଳି ଗଲା ଖୁସି । ପ୍ରୟାଗରାଜରେ ଡଙ୍ଗା ଚଳାଇ କୋଟିପତି ବନିଥିବା ପିଣ୍ଟୁ ମହାରା ଭରିବେ ଟିକସ । ତାହା ପୁଣି କୋଟି କୋଟି ଟଙ୍କା । ୪୫ ଦିନରେ କମାଇଥିବା ୩୦ କୋଟିରୁ ଟିକସ କଟିଯିବ କୋଟି କୋଟି ଟଙ୍କା । ଏହି ଖବର ନିଆଁ ଭଳି ବ୍ୟାପିଯିବା ପରେ ଡଙ୍ଗା ଚାଳକ ପିଣ୍ଟୁ ମହାରା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।
ପିଣ୍ଟୁଙ୍କର ୧୩୦ଟି ଡଙ୍ଗା ଅଛି, ସେ ମହାକୁମ୍ଭରେ ଡ଼ଙ୍ଗା ଚଳାଇ ପ୍ରତିଦିନ ୨୩ ଲକ୍ଷ ଟଙ୍କା ରୋଜଗାର କରିଥିଲେ । ରାତିଦିନ ପରିଶ୍ରମ କରି ୪୫ ଦିନରେ ପାଖାପାଖି ୩୦ କୋଟି ରୋଜଗାର କରିଛନ୍ତି । ଏତେ ଟଙ୍କା ରୋଜଗାର କରିଥିବାରୁ ପିଣ୍ଟୁ ଓ ତାଙ୍କ ପରିବାର ଲୋକ ଖୁସି ହୋଇଯାଇଥିଲେ । କୋଟିପତି ଡଙ୍ଗା ଚାଳକ ପିଣ୍ଟୁଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୁବ୍ ପ୍ରଶଂସା କରିଥିଲେ । ଯୋଗୀଙ୍କ ମୁହଁରୁ ପିଣ୍ଟୁଙ୍କ କଥା ଜାଣିବା ପରେ ସେ ରାତାରାତି ଭାଇରାଲ ହୋଇଗଲେ । ହେଲେ ତାଙ୍କ ଖୁସି ବେଶୀ ଦିନ ରହିଲା ନାହିଁ ।
ଏବେ ତାଙ୍କୁ ଟିକସ ଭରିବାକୁ ପଡିବ । ତେଣୁ ଆୟ ଅନୁସାରେ ତାଙ୍କୁ ଟ୍ୟାକ୍ସ ଦେବାକୁ ହେବ । ଭାରତରେ ୧୫ ଲକ୍ଷରୁ ଅଧିକ ରୋଜଗାରରେ ୩୦ ପ୍ରତିଶତ ଟିକସ ଭରିବାକୁ ପଡୁଥିବା ବେଳେ ପିଣ୍ଟୁଙ୍କୁ ୩୦ କୋଟି ଟଙ୍କାରେ ପ୍ରାୟ ୧୨.୮୦ କୋଟି ଟଙ୍କାର ଟ୍ୟାକ୍ସ ଦେବାକୁ ପଡିବ । ଯାହା ତାଙ୍କର ଆୟର ଅଧା କହିଲେ ଚଳେ । ଯେତିକି ସେ ୪୫ ଦିନରେ ରୋଜଗାର କରିଛନ୍ତି ତାର ଅଧାରୁ ଟିକେ କମ୍ ତାଙ୍କୁ ଟିକସ ଆକାରରେ ଦେବାକୁ ପଡିବ । ଖାଲି ଡଙ୍ଗା ଚଳାଇ ନୁହେଁ ମହାକୁମ୍ଭରେ ଯାତ୍ରୀଙ୍କୁ ନେବା ଆଣିବା କରି ଅଟୋ ଚାଳକ, ବସ୍ ଚାଳକ ଭଲ ରୋଜଗାର କରିଥିବା ବେଳେ ହୋଟେଲ ମାଲିକ ବି ମାଲାମାଲ ହୋଇଛନ୍ତି ।