ପ୍ରସିଦ୍ଧ କଟକ ବାଲିଯାତ୍ରାରେ ଲାଗିବ ବିଦେଶୀ ଛୁଙ୍କ

କଟକ: ଏଥର ପ୍ରସିଦ୍ଧ କଟକ ବାଲିଯାତ୍ରାରେ ଲାଗିବ ବିଦେଶୀ ଛୁଙ୍କ। ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ, ହାଇକମିଶନର ଉଦ୍ଘାଟନୀ କାର‌୍ୟ୍ୟକ୍ରମରେ ସାମିଲ ହେବେ। ଏଥିସହ ବହୁ ଦେଶର କଳାକାର ଏଥର ବାଲିଯାତ୍ରାରେ ନିଜ କଳାର ପ୍ରଦର୍ଶନ କରିବେ। ଏଥିସହ କାଲିଠୁ ଆୟୋଜିତ ହେବାକୁ ଥିବା ‘ପିଠା ମହୋତ୍ସବ’ରେ ବିଦେଶୀ ପିଠାର ସ୍ୱାଦ ଚାଖିବେ ଓଡ଼ିଶାବାସୀ। ଆସନ୍ତାକାଲିଠୁ ବାଲିଯାତ୍ରା ଆରମ୍ଭ ହେଇ ୨୨ ତାରିଖ ଯାଏ ଚାଲିବ।

ଏହା ପୂର୍ବରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲିଯାତ୍ରା ସମ୍ପର୍କୀତ ସବିଶେଷ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ଆସନ୍ତାକାଲି ସନ୍ଧ୍ୟା ୫ଟାରେ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ, ହାଇକମିଶନର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ପ୍ରତିଦିନ ଗୋଟିଏ କିମ୍ବା ଦୁଇ ଦେଶର କଳାକାର ବାଲିଯାତ୍ରାରେ ନିଜ କଳାର ପ୍ରଦର୍ଶନ କରିବେ। ବର୍ତ୍ତମାନ ସୁଦ୍ଧା ୮ ଦେଶର କଳାକାର ଆସିବା ସ୍ଥିର ହୋଇ ସାରିଲାଣି। ତେବେ ପ୍ରଥମ ଦିନ ଭଜନ ସମାରୋହ ଆୟୋଜିତ ହେବ। ଚଳିତ ବର୍ଷ ବାଲିଯାତ୍ରାରେ ପିଠା ମହୋତ୍ସବ ଆରମ୍ଭ ହେବ। ଭାରତ ବ୍ୟତୀତ ଅନ୍ୟ କିଛି ଦେଶରେ ବି ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ ହୁଏ। ତେଣୁ ଆମ ରାଜ୍ୟବାସୀ ସେମାନଙ୍କ ପିଠାର ମଜା ଉଠାଇ ପାରିବେ ଓ ସେମାନେ ଆମ ପିଠାର ସ୍ୱାଦ ଚାଖି ପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *