ନୂଆଦିଲ୍ଲୀ: ବିକ୍ରି ହେଉଛି ବ୍ୟାଙ୍କର ମାଟି । ଆଉ ଏହି ବ୍ୟାଙ୍କର ମାଟି କିଣିବାକୁ ଲୋକଙ୍କ ଭିଡ଼ ବି ଜମୁଛି । ଏହାର ଦାମ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହା ଶୁଣିବା ପରେ ଆପଣଙ୍କ ମନକୁ ଅନେକ ପ୍ରଶ୍ନ ଆସୁଥିବ, ବ୍ୟାଙ୍କର ମାଟି କ’ଣ ପାଇଁ ବିକ୍ରି ହେଉଛି । ମାଟିକୁ ନେଇ ଲୋକେ କରିବେ କ’ଣ ? ଆସନ୍ତୁ ଜାଣିବା ..
ସାଧାରଣତଃ ଆମେ ବ୍ୟାଙ୍କରେ ଟଙ୍କା ରଖିଥାନ୍ତି । ଆବଶ୍ୟକ ପଡ଼ିଲେ ତାକୁ ବାହାର କରିଥାନ୍ତି । ଆଉ କିଛି ସମୟରେ ଲୋକେ ବ୍ୟାଙ୍କରୁ ଋଣ ବି ଆଣିଥାନ୍ତି । କିନ୍ତୁ ଚୀନର କେତେକ ସହରରେ ବ୍ୟାଙ୍କର ମାଟି ବିକ୍ରି ହେବା ଚର୍ଚ୍ଚାର ବିଷୟ ପାଲଟିଛି । କେତେକ ଦୋକାନରେ ବ୍ୟାଙ୍କର ମାଟି ବିକ୍ରି ହେଉଛି । ସବୁଠାରୁ ବଡ଼ ପ୍ୟାକେଟର ଦାମ୍ ଭାରତୀୟ ମୁଦ୍ରାରେ ୧୦ ହଜାର ଟଙ୍କାରୁ ଅଧିକ । ସେହିପରି ସବୁଠାରୁ ଛୋଟ ପ୍ୟାକେଟର ଦାମ୍ ୨୭୫ ଟଙ୍କା ରହିଛି । ତେବେ ଲୋକେ ବ୍ୟାଙ୍କର ମାଟି କାହିଁକି କିଣୁଛନ୍ତି ?
ବ୍ୟାଙ୍କର ମାଟି ନିଜ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ରଖିବା ଫଳରେ ଆର୍ôଥକ ଲାଭ ମିଳିଥାଏ ଏବଂ ସୁଖ ସମୃଦ୍ଧି ଆସେ ବୋଲି ପ୍ରଚାର କରାଯାଉଛି । ବ୍ୟାଙ୍କର ପ୍ରବେଶ ପଥ, ବ୍ୟାଙ୍କରେ ଲାଗିଥିବା ଛୋଟ ଗଛର ଚେରରୁ ମାଟି ସଂଗ୍ରହ କରାଯାଇଥିବା ଦୋକାନରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଏଗ୍ରିକଲଚରାଲ ବ୍ୟାଙ୍କ ଅପ୍, ଚାଇନା, ଚାଇନା କନଷ୍ଟ୍ରକସନ ବ୍ୟାଙ୍କ, ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନା, ବ୍ୟାଙ୍କ ଅଫ୍ କମ୍ୟୁନିକେସନ ମାଟି ଦୋକାନରେ ବିକ୍ରି ହେଉଛି । ଆଶ୍ଚର୍ଯ୍ୟ କଥା ହେଉଛି ଏହି ବ୍ୟାଙ୍କର ମାଟି କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି । ସେମାନେ ଦୋକାନରୁ ବ୍ୟାଙ୍କ ମାଟି କିଣି ନିଜ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ରଖୁଛନ୍ତି ।
ସୋସିଆଲ ମିଡ଼ିଆରେ ଏହି ଖବର ପାଇବା ପରେ ଲୋକେ ଭିନ୍ନ ଭିନ୍ନ ମତ ରଖିଛନ୍ତି । ବ୍ୟାଙ୍କର ମାଟି ରଖିବା ଫଳରେ ବ୍ୟବସାୟ ବୃଦ୍ଧି ପାଉଥିବା କେତେକ ବ୍ୟକ୍ତି କହୁଥିବା ବେଳେ ଆଉ କିଛି ଏହାକୁ ଅନ୍ଧବିଶ୍ୱାସ ବୋଲି ମତ ରଖିଛନ୍ତି ।