ନୂଆଦିଲ୍ଲୀ: ସାଧାରଣତଃ ଜେଲର ନାଁ ଶୁଣିଲେ ଲୋକେ ଭୟଭୀତ ହୋଇପଡ଼ନ୍ତି । ତଥାପି ଅନେକଙ୍କ ମନକୁ ବହୁ ପ୍ରଶ୍ନ ବି ଆସେ, ଜେଲ ଭିତର କିପରି ହୋଇଥିବ,କେତେ କଏଦୀ ରୁହନ୍ତି ଆଦି । ହେଲେ ଏମିତି ଏକ ଜେଲ ରହିଛି, ଯାହା ଦୁନିଆର ସବୁଠୁ ଛୋଟ ଜେଲ ଭାବେ ବେଶ୍ ପରିଚିତ । ଏବେ ଭାବୁଥିବେ ଗୋଟେ ଜେଲ କେତେ ଛୋଟ ହୋଇପାରେ ? ଆଉ ଏଥିରେ କେତେ ଜଣ କଏଦୀ ରହିପାରିବେ ।
ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର ଏହି ୨ଟି ଜେଲରେ ସର୍ବାଧିକ ସଂଖ୍ୟାରେ କଏଦୀ ରହୁଛନ୍ତି। ତିହାର ଜେଲରେ ୧୪ ହଜାରରୁ ଅଧିକ କଏଦୀ ରହୁଥିବା ବେଳେ ୟେରୱାଡ଼ା ଜେଲରେ ୭ ହଜାରରୁ ଅଧିକ କଏଦୀ ରହୁଛନ୍ତି। ତେବେ ଏଥିମଧ୍ୟରେ ବିଶ୍ୱର ସବୁଠାରୁ ଛୋଟ ଜେଲ ବ୍ରିଟେନ୍ର ସାର୍କ ଦ୍ୱୀପରେ ରହିଛି । ଏହା ସାର୍କ ଜେଲ ଭାବେ ପରିଚିତ ।
ସାର୍କ ଦ୍ୱୀପରେ ରହିଛି ସାର୍କ ଜେଲ ହେଉଛି ବିଶ୍ୱର ସବୁଠାରୁ ଛୋଟ କାରାଗାର। ୧୮୫୬ ମସିହାରେ ନିର୍ମିତ ହୋଇଥିବା ଏହି ଜେଲରେ କେବଳ ୨ ଜଣ କଏଦୀ ରହିପାରିବେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜେଲରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। ତେବେ ଏହି ଜେଲ ଭିତରର ଦୃଶ୍ୟ କିଛିମାତ୍ରାରେ ପରିବର୍ତ୍ତନ କରାଯାଇଛି । ଟ୍ୟାପ ଯୋଗେ ଜଳ ଯୋଗାଣ, ଶୌଚାଳୟ ଆଦି ସୁବିଧା ଏହି ଜେଲରେ କରାଯିବା ସହ ଏଠାରେ ବିଦ୍ୟୁତସେବା ମଧ୍ୟ ଯୋଗାଇ ଦିଆଯାଇଛି। ସେହିପରି ଜେଲ ଭିତରର ଅଂଶକୁ ୨ ଭାଗରେ ବିଭକ୍ତ କରାଯାଇ ୨ଟି କୋଠରି କରାଯାଇଛି। ଉଭୟ କୋଠରିରେ କଏଦୀଙ୍କ ଲାଗି ଛୋଟ ଛୋଟ ଖଟ ବି ରହିଛି ।
ସମୁଦାୟ ୫.୪ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଥିବା ଏହି ଦ୍ୱୀପରେ, ୨୦୨୩ ଜନଗଣନା ଅନୁଯାୟୀ ୫୬୨ ଜଣ ଲୋକ ବସବାସ କରନ୍ତି। ଏହି ଜେଲ ନିର୍ମାଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାହାରି ପାଖରେ ଅର୍ଥ ନ ଥିବାରୁ ଏହାକୁ ନିର୍ମାଣ କରିବାକୁ ୨୪ ବର୍ଷ ସମୟ ଲାଗିଯାଇଥିଲା । ତେବେ ଏହି ଦ୍ୱୀପରେ ଏବେ କୌଣସି ବଡ଼ ଧରଣର ଅପରାଧ ହେଉନାହଁ । ତେଣୁ ସମ୍ପ୍ରତି ଏଠାରେ କେବଳ ୨ ଜଣ ପୋଲିସ କର୍ମଚାରୀ ରହିଛନ୍ତି।