ମୁମ୍ବାଇ: ବଲିଉଡ଼ର ବୁଢା ବାଘ ହେଉଛନ୍ତି ଭାଇଜାନ । ଏପରି କହିଛନ୍ତି ଫିଲ୍ମ ସମୀକ୍ଷକ ତଥା ଅଭିନେତା କମଲ ଆର ଖାନ(କେଆରକେ) । ସେ ସଲମାନଙ୍କ ଏକ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି ‘ବଲିଉଡର ବୁଢ଼ା ବାଘ।’ ସଲମାନ ‘କ୍ଲିନ୍ ସେଭ’ ହୋଇଥିବାରୁ ତାଙ୍କ ମୁହଁରେ ବୟସ ସ୍ପଷ୍ଟ ଭାବରେ ଦେଖାଯାଉଛି। ତାଙ୍କର ଏପରି ମନ୍ତବ୍ୟକୁ ପ୍ରଶଂସକମାନେ ନାପସନ୍ଦ କରିଛନ୍ତି ।
କେଆରକେ ସବୁବେଳେ ତାଙ୍କର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ସବୁବେଳେ ବଲିଉଡ ସେଲିବ୍ରିଟିମାନଙ୍କୁ ଟାର୍ଗେଟ କରିଥାନ୍ତି । ଏହି କାରଣରୁ ଅନେକ ସମୟରେ ତାଙ୍କୁ ଟ୍ରୋଲ ବି କରାଯାଏ। ତେବେ କେଆରକେ ଏବଂ ସଲମାନ ଖାନଙ୍କ ମଧ୍ୟରେ ସବୁବେଳେ ଶତ୍ରୁତା ରହିଆସିଛି। ସଲମାନ ଖାନଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ କେଆରକେ। ଏବେ ପୁଣି ଥରେ ସେ ସଲମାନଙ୍କ ଲୁକ୍ ଉପରେ ମନ୍ତବ୍ୟ ଦେଇଛନ୍ତି।
ସଲମାନ ଖାନ ଏବେ ତାଙ୍କ ଫିଲ୍ମ ‘ସିକନ୍ଦର’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ଇଦ୍ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ‘ସିକନ୍ଦର’ର ସୁଟିଂ ଶେଷ କରିସାରିଛନ୍ତି ସଲମାନ, ଯାହା ପରେ ତାଙ୍କର ଏକ ନୂତନ ଲୁକ୍ ସାମ୍ନାକୁ ଆସିଛି। ଏହାକୁ ନେଇ କେଆରକେ ମନ୍ତବ୍ୟ ଦେଇଛନ୍ତି। ‘ସିକନ୍ଦର’ର ସୁଟିଂ ଶେଷ ହେବା ପରେ ସଲମାନ ଖାନ ଦାଢ଼ି ଓ ନିଶ କାଟି ଦେଇଛନ୍ତି। ସଲମାନଙ୍କ ଦାଢ଼ି ଓ ନିଶ ନ ଥିବା ଲୁକ୍ର ଭିଡିଓ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି- ‘ବଲିଉଡର ବୁଢ଼ା ବାଘ।’ ସଲମାନ ‘କ୍ଲିନ୍ ସେଭ’ ହୋଇଥିବାରୁ ତାଙ୍କ ମୁହଁରେ ବୟସର ଛାପ ବାରି ହୋଇ ପଡ଼ୁଛି ।
ତେବେ ଲୋକମାନେ କେଆରକେଙ୍କ ପୋଷ୍ଟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି- ‘କେଆରକେ, ତୁମେ ସଲମାନ ଖାନଙ୍କୁ କାହିଁକି ଈର୍ଷା କରୁଛ?’ । ଅନ୍ୟ ଜଣେ ଲେଖିଛନ୍ତି- ‘ବାଘ ଯେତେ ପୁରୁଣା ହେଲେ ମଧ୍ୟ, ସେ ବାଘ ହିଁ ରହିଥାଏ।’