ନୂଆଦିଲ୍ଲୀ: ୮ ଦିନର ମିଶନରେ ଯାଇଥିଲେ, କିନ୍ତୁ ମହାକାଶରେ ୯ ମାସ ବିତାଇଲେ । ୨୮୬ ଦିନ ଅନ୍ତରୀକ୍ଷରେ ରହିବା ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ । ଫ୍ଲୋରିଡା ସମୁଦ୍ରରେ ସ୍ପେସଏକ୍ସର ଡ୍ରାଗନ୍ କ୍ୟାପସୁଲ୍ ଲ୍ୟାଣ୍ଡ କରିବା ସହ ଏହି ଐତିହାସିକ ଅନ୍ତରୀକ୍ଷ ମିଶନ ସଫଳ ହୋଇଛି । ୮ ଦିନର ମିଶନକୁ ୯ ମାସ ଲାଗିଥିବା ବେଳେ କ୍ୟାମେରାରେ କଏଦ ହୋଇଛି ସମୁଦ୍ରରେ ସଫଳ ଲ୍ୟାଣ୍ଡିଂର ଦୃଶ୍ୟ ।
ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୁଧବାର ଭୋର୍ ୩ଟା ୨୭ରେ ପୃଥିବୀକୁ ଫେରିଛନ୍ତି । ସୁନୀତାଙ୍କ ସହ ଫେରିଛନ୍ତି ସହଯାତ୍ରୀ ନିକ୍ ହେଗ୍ ଓ ଋଷର ଆଲେକ୍ସଜେଣ୍ଡର । ୪ ମହାକାଶଚାରୀ ଫ୍ଲୋରିଡା ସମୁଦ୍ରରେ ଲ୍ୟାଣ୍ଡିଂ କରିବା ପରେ ନାସା ଓ ସ୍ପେସ୍ଏକ୍ସ ଟିମ୍ କ୍ୟାପସୁଲରୁ ବାହାରକୁ ଆଣିଛି ।
୨୦୨୪ ଜୁନ୍ ୫ ତାରିଖରେ ୮ ଦିନର ମିଶନ ଲାଗି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିଲେ ସୁନୀତା ଓ ବୁଚ୍ । କିନ୍ତୁ ବୈଷୟିକ ସମସ୍ୟା ପାଇଁ ସେମାନଙ୍କୁ ମହାକାଶରେ ୯ ମାସ ରହିବାକୁ ପଡ଼ିଲା । ଆଉ ଏହି ସମୟରେ ସୁନୀତା ମହାକାଶରେ କରୁଥିଲେ ଭିନ୍ନ ଭିନ୍ନ କାମ ।
ନାସା ଅନୁସାରେ, ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସ ରହଣୀ କାଳରେ ସୁନୀତା ୱିଲିୟମ୍ସ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ମରାମତି ଓ ସଫେଇରେ ରହିଛି ସୁନୀତାଙ୍କୁ ବଡ଼ ଭୂମିକା । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଆକାର ଗୋଟିଏ ଫୁଟବଲ୍ ଷ୍ଟାଡିୟମ୍ ସହ ସମାନ । ଏତେବଡ଼ କ୍ଷେତ୍ରଫଳରେ ପୁରୁଣା ଯନ୍ତ୍ରକୁ ପରିବର୍ତ୍ତନ କରି ଗବେଷଣା କରିଥିଲେ ସୁନୀତା ।
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୨୮୬ ଦିନ ରହିବା ସମୟରେ ସୁନୀତା ଓ ତାଙ୍କ ଟିମ୍ ୯୦୦ ଘଣ୍ଟାର ରିସର୍ଚ୍ଚ କରିଥିବା ନାସା କହିଛି । ଏକାକୀ ସୁନୀତା କରିଛନ୍ତି ୧୫୦ ଗବେଷଣା । ଅନ୍ତରୀକ୍ଷରେ ଦୀର୍ଘ ଦିନ ରହିବାରେ ସୁନୀତା ୱିଲିୟମ୍ସ ହେଉଛନ୍ତି ଦୁନିଆର ପ୍ରଥମ ମହିଳା । ସ୍ପେସ୍ ଷ୍ଟେସନ ବାହାରେ ସୁନୀତା ୬୨ ଘଣ୍ଟା କାଟିଥିବା ବେଳେ ୯ ଥର ସ୍ପେସ୍ ୱାକ୍ ମଧ୍ୟ କରିଥିଲେ ।
ସ୍ପେସ୍ ଷ୍ଟେସନରେ ୯ ମାସର ରହଣୀରେ ସୁନୀତା କରିଥିବା ଗବେଷଣା ଆଗକୁ ଅନ୍ୟ ମହାକାଶଚାରୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । କାରଣ ସୁନୀତାଙ୍କ ଗବେଷଣାରୁ ମହାକାଶ ଯାତ୍ରୀଙ୍କୁ ମିଳିବ ତାଜା ପୋଷଣ ତତ୍ତ୍ୱ ପ୍ରଦାନରେ ସହାୟତା । ଏବେ ପୃଥିବୀକୁ ସୁନୀତା ଫେରିଛନ୍ତି । ଆଉ ନାସା ସହ ସାରା ବିଶ୍ୱ ତାଙ୍କ ସାହସିକତାକୁ ସାଲ୍ୟୁଟ୍ କରୁଛି ।