ଛଟେଇ କରିବ ବୋଇଂ, ସଂକଟରେ ୧୭ ହଜାର କର୍ମଚାରୀ

ନୂଆଦିଲ୍ଲୀ: ବୋଇଂ ନିଜ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଯାହା ପାଇଁ ନୋଟିସ ମଧ୍ୟ ବାହାରି ଯାଇଛି। ଆମେରିକାର ପ୍ରଖ୍ୟାତ ବିମାନ ନିର୍ମାଣକାରୀ ସଂସ୍ଥା ବୋଇଂ ୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନୋଟିସ ମଧ୍ୟ ଜାରି କରିଛି। ନୋଟିସ ହୋଇଥିବା କର୍ମଚାରୀମାନେ ଅଧିକ କରଜରେ ଅଛନ୍ତି। ବିମାନ ନିର୍ମାତାଙ୍କ ନିର୍ଦ୍ଦେଶରେ ଜାନୁଆରୀ ପର୍ଯ୍ୟନ୍ତ କର୍ମଚାରୀ ରହିବେ। ନିୟମ ଅନୁସାରେ କର୍ମଚାରୀଙ୍କୁ ଛଟେଇ ପୂର୍ବରୁ ୬୦ ଦିନର ନୋଟିସ ଜାରି କରାଯିବା କଥା।

କୁଶଳୀ କର୍ମଚାରୀଙ୍କ ଜରିଆରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଚଳିତବର୍ଷ ପ୍ରାରମ୍ଭରେ ବୋଇଂ କମ୍ପାନୀରେ ୧,୭୧,୦୦୦ କର୍ମଚାରୀ କାର୍ଯ୍ୟରତ ଥିଲେ। ତେବେ ଖର୍ଚ୍ଚ କାଟ ସାଙ୍ଗକୁ ମାନବୃଦ୍ଧି ନିମନ୍ତେ ୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଜରୁରୀ ହୋଇପଡିଛି ବୋଲି ବୋଇଂ କମ୍ପାନୀ ସିଇଓ କେଲି ଓର୍ଟବର୍ଗ କହିଛନ୍ତି।

ଏୟାରବସ୍ ଏବଂ ଲକ୍ହିଡ୍ ମାର୍ଟିନ ଭଳି ସଂସ୍ଥା ତରଫରୁ କଡା ମୁକାବିଲାର ସମ୍ମୁଖୀନ ହେଉଥିବା ବୋଇଂ କମ୍ପାନୀ ଚଳିତବର୍ଷ ଜାନୁଆରୀରୁ କ୍ଷତି ସହି ଆସୁଛି। ପୁନଶ୍ଚ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ସାତ ସପ୍ତାହ ଧରି କମ୍ପାନୀର ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। କୋଭିଡ୍ ସମୟରେ କମ୍ପାନୀ ଅଧିକାଂଶ କର୍ମଚାରୀଙ୍କୁ ସାମୟିକ ଭାବେ ଛଟେଇ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ସେମାନଙ୍କୁ ଆଉ ନିଯୁକ୍ତ କରିନଥିଲା।

ଭବିଷ୍ୟତକୁ ଦୃଷ୍ଟିରେ ରଖି ଶତାଧିକ କର୍ମଚାରୀ ସେତେବେଳେ କମ୍ପାନୀ ଛାଡି ଅନ୍ୟତ୍ର ପଳାଇଥିଲେ। ଅପରପକ୍ଷରେ ଅଧିକାଂଶ ବିମାନ ନିର୍ମାଣକାରୀ ସଂସ୍ଥା ବର୍ତ୍ତମାନ ମହାକାଶ କ୍ଷେତ୍ରରେ ପାଦ ଥାପିଛନ୍ତି। ସେଗୁଡିକ ମଧ୍ୟରେ ସ୍ପେସ୍ଏକ୍ସ, ବ୍ଲୁ ଅରିଜିନ ଅନ୍ୟତମ। ତେଣୁ ବ୍ୟାବସାୟିକ ବିମାନ ନିର୍ମାଣ ବ୍ୟତୀତ ବୋଇଂକୁ ମଧ୍ୟ ଏହି କ୍ଷେତ୍ରରେ ଅଗ୍ରସର ହେବାକୁ ପଡୁଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *