ନୂଆଦିଲ୍ଲୀ: ଦୀର୍ଘ ୯ ମାସ ପରେ ପୃଥିବୀ ପୃଷ୍ଠରେ ପାଦ ଦେଇଛନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ । ସୁନୀତାଙ୍କ ବାହୁଡ଼ାକୁ ନେଇ ସାରା ବିଶ୍ୱ ଖୁସିରେ ଝୁମୁଛି । ଏହାରି ଭିତରେ ଭାରତରେ ମଧ୍ୟ ଖୁସିର ଲହର ଖେଳିଯାଇଛି । ଗୁଜରାଟ ମୋହସାଣା ଜିଲ୍ଲା ତ ଯେମିତି ଉତ୍ସବ ପାଳନ କରୁଛି । ମୋହସାଣାର ଝୁଲାସନ୍ ଗାଁରେ ସୁନୀତାଙ୍କ ପିତା ଦୀପକ ପାଣ୍ଡ୍ୟାଙ୍କ ଜନ୍ମ । ଉଚ୍ଚଶିକ୍ଷା ପାଇଁ ଝୁଲାସନ୍ ଛାଡ଼ି ୧୯୫୭ ମସିହାରେ ଆମେରିକା ଚାଲିଯାଇଥିଲେ ସୁନୀତାଙ୍କ ବାପା । ମୋଟାମୋଟି ଭାବେ କହିବାକୁ ଗଲେ , ଝୁଲାସନ୍ ସୁନୀତା ୱିଲିୟମ୍ସଙ୍କ ପୈତୃକ ଗାଁ । ବର୍ତ୍ତମାନ ମଧ୍ୟ ସୁନୀତାଙ୍କ ସମ୍ପର୍କୀୟ ଏହି ଗାଁରେ ରହୁଛନ୍ତି ।
ଗାଁ ଝିଅ ଯେତେବେଳେ ମହାକାଶକୁ ଗଲେ ସେତେବେଳେ ପୂରା ଗାଁର ଛାତି ଗର୍ବରେ ଫୁଲିଉଠିଥିଲା । କିନ୍ତୁ ୯ ମାସର ଦୀର୍ଘ ପ୍ରତୀକ୍ଷା ସମ୍ପୂର୍ଣ୍ଣ ଗାଁକୁ ବ୍ୟଥିତ କରିଥିଲା । ଆଉ ସେହି ଦିନଠାରୁ ସୁନୀତାଙ୍କ ଶୁଭ ମନାସି ଗାଁରେ ବସିଥିଲା ‘ଅଖଣ୍ଡ ଜ୍ୟୋତି’ । ଦୀର୍ଘ ୯ ମାସ ସୁନୀତା ମହାକାଶରେ ଥିଲେ ଆଉ ଗାଁରେ ତାଙ୍କ ପାଇଁ ଜଳୁଥିଲା ଅଖଣ୍ଡ ଜ୍ୟୋତି । ମହାକାଶରୁ ଫେରିବା ପରେ ଗାଁରେ ବାଣ ଫୁଟାଇ , ପରସ୍ପରକୁ ଅବିର ବୋଳି ଢୋଲ ବଜାଇ ଲୋକ ଖୁବ୍ ନାଚିଲେ । ସୁନୀତାଙ୍କ ଦାଦା ପୁଅ ଭାଇ ନବୀନ ପାଣ୍ଡ୍ୟା କହିଲେ , ‘ଦିଦିଙ୍କ ସମ୍ମାନରେ ଆମେ ବିରାଟ ବଡ଼ ଶୋଭାଯାତ୍ରା ବାହାରିଥିଲୁ । ଗାଁରେ ଭୋଜିଭାତର ଆସର ଜମିଥିଲା । ପୂରା ଗାଁ ଦିଦିଙ୍କ ଫେରିବା ବାଟକୁ ଚାହିଁ ବସିଥିଲା । ଭଗବାନଙ୍କ କୃପାରୁ ସୁନୀତା ଦିଦି ଭଲରେ ଭଲରେ ଫେରିଆସିଲେ । ଭବିଷ୍ୟତରେ ଝୁଲାସନ୍ ଆସିବାକୁ ଆମେ ଦିଦିଙ୍କୁ ଆମନ୍ତ୍ରିତ କରିବୁ । ସେ ପୁଣି ଗାଁକୁ ଆସିବା ଆମ ପାଇଁ ଗର୍ବର ବିଷୟ ହେବ । ତେବେ ମୋହସାଣା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟ ଖାସ୍ ସାମଞ୍ଜସ୍ୟ ରହିଛି । ମୋହସାଣା ହେଉଛି ମୋଦୀଙ୍କ ନିଜ ଜିଲ୍ଲା । ବଡ଼ନଗରରେ ତାଙ୍କ ଜନ୍ମ , ଯାହା ଏହି ଜିଲ୍ଲା ଅନ୍ତର୍ଗତ ।
ସୁନୀତା ଓ ତାଙ୍କ ସହଯୋଗୀ ଗତବର୍ଷ ମାତ୍ର ୮ ଦିନ ପାଇଁ ମହାକାଶକୁ ଯାଇ ଦୀର୍ଘ ୯ ମାସ ଅନ୍ତରୀକ୍ଷରେ ଫସିଥିଲେ । ଯେଉଁ ବୋଇଂ ଜୋ ଷ୍ଟାରଲାଇନର୍ ଯାନ ତାଙ୍କୁ ପୃଥିବୀପୃଷ୍ଠକୁ ଫେରାଇ ଆଣିଥାନ୍ତା ତାହା ଅଧାବାଟରୁ ହିଁ ଖରାପ ହୋଇଗଲା । ଯେଉଁଥିପାଇଁ ସୁନୀତାଙ୍କୁ ଦୀର୍ଘ ଦିନ ଧରି ମହାକାଶରେ ରହିବାକୁ ପଡ଼ିଥିଲା ।