କଟକ: ଆଜିଠୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ଆଜି ସନ୍ଧ୍ୟାରେ କଟକ ମହାନଦୀ ପଠାରେ ବୋଇତ ବନ୍ଦାଣ କରିବା ସହ ଐତିହାସିକ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିରେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ହାଇ କମିସନର ଯୋଗଦେବେ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ ଭଜନ ସହ ଇଣ୍ଡୋନେସିଆ ବାଲିର ସଂସ୍କୃତିକୁ ନେଇ ଅନ୍ତର୍ଜାତୀୟ କଳାକାରଙ୍କ ଦ୍ବାରା ନୃତ୍ୟ ପରିବଷେଣରେ ଆରମ୍ଭ ହେବ ବାଲିଯାତ୍ରାର ପ୍ରଥମ ସାଂସ୍କୃତିକ ସନ୍ଧ୍ୟା। ଯାହା ଆସନ୍ତା ୨୨ ତାରିଖ ଯାଏଁ ଚାଲିବ ।
ତେବେ ଚଳିତ ବର୍ଷ ବାଲିଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିବ । ଏଥର ବାସ୍ତବରେ ଇଣ୍ଟରନେସନାଲ ସ୍ପର୍ଶ ପାଇଛି କଳିଙ୍ଗର ବାଲିଯାତ୍ରା । ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରଚାର ପ୍ରସାର ପାଇଁ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଏବଂ ବୃଣେଇ ଭଳି ବିଭିନ୍ନ ରାଷ୍ଟ୍ରରୁ ଅତିଥିମାନେ ଯୋଗଦେବେ। ଏହା ସହ ୮ଟି ଦେଶର ପ୍ରତିନିଧି ଏବଂ କଳାକାରମାନେ ପ୍ରତିଦିନ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ବତନ୍ତ୍ର ପାଭିଲିୟନ୍ କରାଯାଇଛି। ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ କରିବା ପାଇଁ ପୁରୁଣା ଓଡ଼ିଆ ସିନେମାକୁ ନେଇ କଟକ-ଇନ୍-କଟକରେ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ସେହିପରି ପ୍ରଥମ ଥର ପାଇଁ ଫିଲ୍ମ ଫେଷ୍ଟିଭାଲ, ପୁରୁଣା ଚଳଚ୍ଚିତ୍ର ପ୍ରଦର୍ଶନ, ଡ୍ରୋନ ସୋ, ପିଠା ମହୋତ୍ସବ, ଓରମାସର ସ୍ୱତନ୍ତ୍ର ଷ୍ଟଲ ଦେଖିବାକୁ ମିଳିବ। ଏହା ସହିତ କଟକ ମାଟିରେ ଏହି ବାଲିଯାତ୍ରା ପଡ଼ିଆରେ ପ୍ରଥମ ଥର ପାଇଁ ଆହେ ନୀଳଶୈଳ ଅନୁଷ୍ଠିତ ହେବାକୁ ଯାଉଛି।
ତେବେ ଏସିଆର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରରେ ଏଥର ଉଭୟ ପଡ଼ିଆରେ ୨୫ଶହ ଷ୍ଟଲ୍ ଖୋଲାଯାଇଛି। ସେଥିମଧ୍ୟରୁ ଓର୍ମାସ୍ର ରହିଛି ୫୦୦ ଷ୍ଟଲ। ବିଶେଷ କରି ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ଓ ବିପଣନ ନିମନ୍ତେ ଓର୍ମାସ୍ରେ ଅଗ୍ରାଧିକାର ଦିଆଯାଇଛି। ଓର୍ମାସ୍ରେ ପିଠା ମହୋତ୍ସବ, ମାଟିପାତ୍ର ତିଆରି ଓ ତନ୍ତବୁଣା ଆଦି ମଧ୍ୟ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି। ତେବେ ଚଳିତଥର ୭ଟି ଅନ୍ତର୍ଜାତୀୟ ଷ୍ଟଲ୍ ମଧ୍ୟ ଏଥିରେ ସ୍ଥାନ ପାଇଛି। ସେହିଭଳି ପାଣି ପରଦାରେ ଲେଜର ସୋ, ଡ୍ରୋନ୍ ସୋ, ଗୁଡ଼ି ଉତ୍ସବ ଆଦି ବ୍ୟବସ୍ଥା ମଧ୍ୟ କରାଯାଇଛି। ପଡ଼ିଆର ପରିମଳ ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ୩୮୫ଟି ଶୌଚାଳୟ ବ୍ୟବସ୍ଥା କରାଯାଇଛି। ବୟସ୍କ ଓ ଭିନ୍ନକ୍ଷମମାନଙ୍କ ନିମନ୍ତେ ଇ-ରିକ୍ସା ବ୍ୟବସ୍ଥା କରାଯାଇଛି।
ବାଲିଯାତ୍ରା ପାଇଁ କମିସନରେଟ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି। ବାଲିଯାତ୍ରାରେ ମୃତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ। ଏଥିସହ ତିନି ଶହରୁ ଊର୍ଦ୍ଧ୍ୱ ଅଫିସର ଡ୍ୟୁଟିରେ ରହିବେ ।ଉଭୟ ତଳ ଓ ଉପର ବାଲିଯାତ୍ରା ପଡିଆରେ ୨୭ ଟି ଏଡ୍ ପୋଷ୍ଟ ସହ ପାଞ୍ଚଟି ୱାଚ ଟାୱାର ରହିବ ବୋଲି କହିଛନ୍ତି ଡିସିପି। ଚେନ ଲୁଟେରା ଓ ପକେଟ୍ ମାରଙ୍କ ପ୍ରତି ନଜର ରଖିବା ପାଇଁ ସାଧା ପୋଷାକରେ ମୁତୟନ ହେବେ ପୋଲିସ ଅଧିକାରୀ ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମିନା।
ବିଶେଷ କରି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ତିନୋଟି ପାର୍କିଂ ସ୍ଥାନ କରାଯାଇଛି। ମେରିତାଇମ୍ ମ୍ୟୁଜିୟମ , ବୋସ୍ ଇଞ୍ଜିନିୟରିଂ କଲେଜ, ସମ୍ମୁଖ ନଦୀ ପଠା ଓ କୃଷକ ବଜାରରେ କରାଯାଇଛି ଏହି ନୂତନ ପାର୍କିଂ ସ୍ଥାନ।ଭୁବନେଶ୍ୱର ପଟୁ ନେତାଜୀ ସେତୁ ଦେଇ ଆସୁଥିବା ଲୋକେ କୃଷକ ବଜାର ସହ ସେହି ରାସ୍ତାରେ ହୋଇଥିବା ବିଭିନ୍ନ ପାର୍କିଂ ସ୍ଥାନରେ ଗାଡ଼ି ରଖି ପାରିବେ। ମଧୁ ସେତୁ ଦେଇ ଆଠଗଡ଼, ଢେଙ୍କାନାଳ ପଟୁ ଆସୁଥିବା ଲୋକେ ଭୁଆସୁଣୀ ପଠା ଓ ଅନ୍ୟ ପାର୍କିଂ ସ୍ଥାନରେ ଗାଡ଼ି ରଖିପାରିବେ। ଚୌଦ୍ୱାର ଓ ଯୋବ୍ରା ପଟୁ ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକେ ମାରିଟେମ୍ ମ୍ୟୁଜିୟମ୍ ଓ ବୋଷ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ହୋଇଥିବା ପାର୍କିଂ ସ୍ଥାନରେ ଗାଡ଼ି ରଖି ପାରିବେ। ତେବେ କିଭଳି ଜନସାଧାରଣ ଆସି ସୂରୁଖୁରୁରେ ବାଲିଯାତ୍ରା ବୁଲି ଦେଖି ପାରିବେ ସେଥି ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡିସିପି।