ଦିନରେ ନୁହେଁ, ରାତିରେ ଗାଧାନ୍ତି ଏହି ଦେଶର ଲୋକେ

ନୂଆଦିଲ୍ଲୀ: କୁହାଯାଏ, ପ୍ରାତଃ ସ୍ନାନ ଶରୀର ପାଇଁ ଭଲ । ତେଣୁ ଲୋକେ ସକାଳୁ ବା ଦିନରେ ଗାଧୋଇଥାନ୍ତି । ସାଧାରଣତଃ ଆମ ଦେଶର ଲୋକେ ଦିନ ହେଉ କି ରାତିରେ ଗାଧୋଇଥାନ୍ତି । ହେଲେ ଏମିତି ଏକ ଦେଶ ଅଛନ୍ତି, ଯେଉଁଠି ଲୋକେ ଦିନରେ ନୁହେଁ, ରାତିରେ କେବଳ ଗାଧୋଇଥାନ୍ତି । ଦିନରେ ଶରୀର ଦୂଷିତ ପଦାର୍ଥ ସଂସ୍ପର୍ଶରେ ଆସିଥାଏ , ରାତିରେ ଗାଧୋଇବା ଦ୍ୱାରା ସେସବୁ ଧୋଇ ହୋଇଯାଏ। ଏହାଦ୍ୱାରା ଶରୀରକୁ ଆରାମ ମିଳେ ବୋଲି ସେଠାକାର ଲୋକଙ୍କ ମତ ।

ଚୀନ୍‌, ଜାପାନ ଓ କୋରିଆରେ ଲୋକେ ରାତିରେ ସ୍ନାନ କରିଥାନ୍ତି । କାହିଁ କେଉଁ କାଳରୁ ଏଠାକାର ଲୋକେ ମାନିଆସୁଛନ୍ତି । କୋରିଆରେ ଲୋକେ ଦିନରେ କାମ କରି ରାତିରେ ଗାଧୋଇବାକୁ ପସନ୍ଦ କରନ୍ତି। ଖାସ୍ କରି ଶରୀରକୁ ଆରାମ ଓ ଭଲ ନିଦ ପାଇଁ ଏଠାକାର ଲୋକେ ରାତି ଗାଧୁଆକୁ ବେଶୀ ଗୁରୁତ୍ୱ ଦେଇଥାନ୍ତିି।

ସେହିପରି ଚୀନ୍‌ରେ ରାତି ସ୍ନାନକୁ ଦୈନିକ ସ୍ୱଚ୍ଛତାର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ବିବେଚନା କରାଯାଏ। ରାତିରେ ସ୍ନାନ କରିବା ଦ୍ୱାରା ଦିନଯାକ ବାହାର ଦୁନିଆ ସଂସ୍ପର୍ଶରେ ଆସି ସୃଷ୍ଟି ହୋଇଥିବା ନକାରାତ୍ମକ ଶକ୍ତି ଓ ଅବସାଦ ହ୍ରାସ ପାଏ ବୋଲି ଚିନ୍‌ବାସୀ ବିଶ୍ୱାସ କରନ୍ତି। ତେବେ ଚୀନ୍‌ରେ ଅଧିକ ଗରମ ଅନୁଭୂତ ହେଉଥିବାରୁ ଲୋକଙ୍କଠାରୁ ଅଧିକ ଝାଳ ବାହାରିିଥାଏ। ଫଳରେ ତ୍ୱଚାରେ ଜୀବାଣୁ ସୃଷ୍ଟି ହୋଇଥାନ୍ତି। ଗାଧୋଇବା ଦ୍ୱାରା ଶରୀର କେବଳ ସଫା ରୁହେ ନାହିଁ, ବରଂ ସଂକ୍ରମଣ ବ୍ୟାପିବାରୁ ମଧ୍ୟ ରକ୍ଷା କରେ। ସ୍ନାନକୁ ଆରାମ କରିବାର ଏକ ଉପାୟ ଭାବେ ଏଠାରେ ବିବେଚନା କରାଯାଏ।

ସେହିଭଳି ଜାପାନ ଲୋକେ ଭାବନ୍ତି ରାତିରେ ଗାଧୋଇବା ଦ୍ୱାରା ମନ ଓ ହୃଦୟ ଶୁଦ୍ଧ ହୁଏ। ତେବେ ସ୍ନାନ ଜାପାନର କାର୍ଯ୍ୟ ସଂସ୍କୃତି ସହିତ ସମ୍ବନ୍ଧ ରଖେ। ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା ଶରୀର ଏହା ସଙ୍କେତ ଦିଏ ଯେ, କାମ ଶେଷ ହୋଇଗଲା ଏବଂ ଆରାମ କରିବାର ସମୟ ଆସିଲା। ଏହାସହ ରାତ୍ରି ସ୍ନାନ ଚିନ୍ତା ଲାଘବ କରି ମାନସିକ ଏବଂ ଶାରୀରିକ ବିଶ୍ରାମକୁ ଅଗ୍ରାଧିକାର ଦେବାରେ ସାହାଯ୍ୟ କରେ। ସେହିପରି ରାତିରେ ଗାଧୋଇବା ଦ୍ୱାରା ଶରୀର ଓ ମସ୍ତିଷ୍କ ଶାନ୍ତ ରହେ। ଏହାଦ୍ୱାରା ଭଲ ନିଦ ଆସେ। ଅନ୍ୟପକ୍ଷରେ ଉଷୁମ ପାଣି ମାଂସପେଶୀକୁ ଆରାମ ପ୍ରଦାନ କରିପାରେ।

ତେବେ ବିଜ୍ଞାନ ଓ ବିଶେଷଜ୍ଞଙ୍କ ଅନୁସାରେ, ରାତି ସ୍ନାନ ଶରୀର ପାଇଁ ଉତ୍ତମ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଭଲ ନିଦ ଆସେ। ତେବେ ଉଭୟ ସକାଳ ଓ ରାତି ସ୍ନାନ ଶରୀର ପାଇଁ ହିତକର। ଶରୀର ଯଦି ଗ୍ରହଣ କରୁଛି , ତାହେଲେ ଦୁଇ ବେଳା ଗାଧୋଇବାରେ କୌଣସି କ୍ଷତି ନାହିଁ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *