୬ ବର୍ଷ କାମ ନକରି ଦରମା ପାଇଲେ ୩୬ ଲକ୍ଷ

ନୂଆଦିଲ୍ଲୀ: ସାଧାରଣତଃ ଲୋକ କାମ କରନ୍ତି ଦୁଇ ପଇସା ରୋଜଗାର କରନ୍ତି। ପରିବାର ସହ ଶାନ୍ତିରେ ସମୟ ବିତେଇବେ। କାମ କରି ରୋଜଗାର କରିଥିବା ଟଙ୍କାରେ ତାଙ୍କ ଅଭାବ ମେଣ୍ଟାଇବେ। କିଏ କାମ କରି ଅଧିକ ଟଙ୍କା ରୋଜଗାର କରନ୍ତି କିଏ କମ୍‌। ସେ ଅନୁସାରେ ସେମାନେ ତାଙ୍କ ପରିବାର ପ୍ରତିପୋଷଣ କରନ୍ତି। ହେଲେ ଜାଣିଛନ୍ତି କି ଜଣେ ବ୍ୟକ୍ତି ୬ ବର୍ଷ କାମ ନକରି ଘରେ ରହି ଦରମା ପାଉଥିଲେ ଏକଥା ଶୁଣିଲେ ହୁଏତ ଆପଣ ବିଶ୍ୱାସ କରୁନଥିବେ ହେଲେ ଏହା ସତ।

ସମସ୍ତେ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି। ତେବେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ବହୁ ଲୋକଙ୍କୁ ଭ୍ରମଣ ପାଇଁ ଛୁଟି ମିଳି ନ ଥାଏ। ସେହିପରି ଅଧିକ ଛୁଟି ନେଲେ ଦରମା କଟିଯିବାର ମଧ୍ୟ ଭୟ ରହିଥାଏ। ତେବେ ସ୍ପେନ୍‌ର କାଡିଜ୍ ସହରରୁ ଏକ ଅଜବ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ୬ ବର୍ଷ ଧରି ଅଫିସ୍‌କୁ ଆସି ନ ଥିଲେ ଏବଂ ଅଫିସ ସମ୍ବନ୍ଧିତ କୌଣସି ମଧ୍ୟ କାର୍ଯ୍ୟ କରି ନ ଥିଲେ। ଏହି ଅବଧି ମଧ୍ୟରେ ସେ ବହୁ ବୁଲାବୁଲି କରିବା ସହ ମଜା କରିଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଏହି ୬ ବର୍ଷ ମଧ୍ୟରେ ପ୍ରତ୍ୟେକ ମାସ ପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଦରମା ମିଳୁଥିଲା।

କାଡିଜ୍‌ରେ ଥିବା ଏକ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀରେ ଗତ ୨୦ ବର୍ଷ ଧରି ଜୋଆକ୍ୱିନ୍ ଗାର୍ସିଆ ନାମକ ଜଣେ ବ୍ୟକ୍ତି କାର୍ଯ୍ୟ କରିଆସୁଥିଲେ। ତେବେ ୬ ବର୍ଷ ତଳେ ଦିନେ ସେ କାହାକୁ କିଛି ନ ଜଣାଇ ଆଉ ଅଫିସ ଆସି ନଥିଲେ। ଗାର୍ସିଆ ଚାକିରିରୁ ଇସ୍ତଫା ଦେଇ ନ ଥିଲେ କିମ୍ବା ଛୁଟି ଦରଖାସ୍ତ ମଧ୍ୟ ଦାଖଲ କରି ନ ଥିଲେ। ଗାର୍ସିଆ ଆସୁ ନ ଥିବା ନେଇ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଅଧିକାରୀମାନେ ମଧ୍ୟ ଜାଣିପାରି ନ ଥିଲେ। ତାଙ୍କୁ ନେଇ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀର ୨ଟି ବିଭାଗ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଅନ୍ୟ ବିଭାଗରେ ଗାର୍ସିଆ କାର୍ଯ୍ୟ କରୁଛନ୍ତି ବୋଲି ଉଭୟ ବିଭାଗର ଅଧିକାରୀମାନେ ଅନୁମାନ କରୁଥିଲେ।

କମ୍ପାନୀ କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁ ଗାର୍ସିଆ ୬ ବର୍ଷ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ନକରି ଦରମା ମଧ୍ୟ ପାଉଥିଲେ। ରିପୋର୍ଟ ଅନୁଯାୟୀ, ଏହି ୬ ବର୍ଷର ଅବଧି ମଧ୍ୟରେ ତାଙ୍କୁ ବାର୍ଷିକ ୪୧,୫୦୦ ଡଲାର (ପ୍ରାୟ ୩୬ ଲକ୍ଷ ଟଙ୍କା) ଦରମା ମିଳିଥିଲା। ଗାର୍ସିଆ ୨୦ ବର୍ଷ ଧରି ସମାନ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀରେ କାର୍ଯ୍ୟ କରୁଥିଲେ ସୁଦ୍ଧା କମ୍ପାନୀ ପକ୍ଷରୁ ତାଙ୍କୁ କୌଣସି ପୁରସ୍କାର ମିଳି ନ ଥିଲା। ତେଣୁ ଦୀର୍ଘଦିନର ବିଶ୍ୱସ୍ତତା ପାଇଁ ଉକ୍ତ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀ ଗାର୍ସିଆଙ୍କୁ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଥିଲା। ପୁରସ୍କାର ଦେବା ପାଇଁ ଗାର୍ସିଆଙ୍କୁ ଖୋଜା ଯାଇଥିବାବେଳେ ସେ ମିଳି ନ ଥିଲେ।

ଏହା ଉପରେ ଅଧିକ ଯାଞ୍ଚ କରାଯିବା ପରେ ସେ ୬ ବର୍ଷ ଧରି ଅଫିସ ଆସୁ ନ ଥିବା ନେଇ ଜଣାପଡ଼ିଥିଲା। ଗାର୍ସିଆଙ୍କ ଓକିଲ କହିଛନ୍ତି, ଉକ୍ତ ୱାଟର ଟ୍ରିଟ୍‌ମେଣ୍ଟ କମ୍ପାନୀରେ କାମ କରୁଥିବା ସମୟରେ ତାଙ୍କୁ ହଇରାଣ କରାଯାଉଥିଲା। ସେଥିପାଇଁ ଗାର୍ସିଆ ଅଫିସ ଆସିବା ବନ୍ଦ କରି ଦେଇଥିଲେ। ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ଗାର୍ସିଆଙ୍କ ଉପରେ କୋର୍ଟ ୩୦ ହଜାର ଡଲାରର ଜରିମାନା ଲଗାଇଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *