ଭୁବନେଶ୍ୱର : ୩୬ ଘଣ୍ଟା ଉପାସରେ ରହିଲେ ଶ୍ରୀ ଜଗନ୍ନାଥ । ଶ୍ରୀଲିଙ୍ଗରାଜ ମନ୍ଦିର ବେଢାରେ ଥିବା ପାର୍ଶ୍ୱ ଦେବତା ଶ୍ରୀଜଗନ୍ନାଥଙ୍କୁ ତାଲା ପକାଇ ଦେଇଥିଲେ ସେବାୟତ । ପ୍ରାୟ ୩୬ ଘଣ୍ଟା ଧରି ପୂଜାର୍ଚ୍ଚନା ବନ୍ଦ ରହିବା ସହ ଉପାସରେ ରହିଥିଲେ ପ୍ରଭୁ ଜଗନ୍ନାଥ। ଖବର ପାଇ ସହକାରୀ ଦେବୋତ୍ତର କମିସନର ଶିଶିର କୁମାର ସାହୁ ପ୍ରଥମେ ମନ୍ଦିର ପହଞ୍ଚି ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ତାଲା ଖୋଲିବା ଲାଗି କହିଥିଲେ। ସେବାୟତମାନେ ପକାଇଥିବା ୨ଟି ଯାକ ତାଲା ଖୋଲି ଦେଇଥିଲେ । ପରେ ପ୍ରଭୁଙ୍କ ନୀତି ସ୍ୱାଭାବିକ ହୋଇଥିଲା।
ଏହାପରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମନ୍ଦିର କାର୍ଯ୍ୟାଳୟ ପରିସରରେ ଉକ୍ତ ବିବାଦର ଆଲୋଚନା କରାଯାଇଥିଲା। ବୈଠକରେ ନିଷ୍ପତ୍ତି ମୁତାବକ, ଝଗଡ଼ା କରିଥିବା ୨ ସେବାୟତ ଏବେ ପ୍ରଭୁଙ୍କ ସେବା କରିବେ ନାହିଁ । ନିରପେକ୍ଷ ଭାବେ ଅନ୍ୟ ଜଣେ ସେବାୟତ ସେବା ପାଳି ଚୂଡାନ୍ତ ହେବା ପର୍ଯ୍ୟନ୍ତ ନୀତି କରିବେ। ଶ୍ରୀଜିଉଙ୍କ ସେବା କରିବା ଲାଗି ଏକ ନିର୍ଦ୍ଧିଷ୍ଟ ସମୟ ଅବଧି ମଧ୍ୟରେ ସମସ୍ତ ସେବା ଅଂଶଧାରୀମାନେ ଅତୀତ ସେବା କାର୍ଯ୍ୟର ନିଜ ପାଖରେ ଥିବା ନଥିପତ୍ର ମନ୍ଦିର କାର୍ଯ୍ୟାଳୟରେ ଦାଖଲ କରିବେ। ପରେ ସେମାନଙ୍କୁ ଚିଠି କରି ଆଲୋଚନା ନିମନ୍ତେ ଡକାଇ ପାଳି ଚୁଡାନ୍ତ ହେବ। ଏହି ନିଷ୍ପତ୍ତିରେ ରାଜି ହୋଇ ସେବାୟତମାନେ ତାଲା ଖୋଲିଥିଲେ।
ବ୍ରାହ୍ମଣ ନିଯୋଗର ୨ ସେବାୟତ ଗତ ମଙ୍ଗଳବାର ସେବା ଅଧିକାର ନିମନ୍ତେ ପରସ୍ପର ମଧ୍ୟରେ ଝଗଡ଼ା କରିଥିଲେ। ଶେଷରେ ବୁଧବାର ରାତିରେ ମନ୍ଦିର ପହୁଡ ପଡିବା ପରେ ପାର୍ଶ୍ୱ ଦେବତା ଜଗନ୍ନାଥଙ୍କ କବାଟରେ ଉଭୟ ଗୋଟାଏ ଲେଖାଏ ତାଲା ପକାଇଥିଲେ। ପରବର୍ତ୍ତୀ ଦିନ ତମାମ ମନ୍ଦିର କବାଟ ଖୋଲାଗଲା ନାହିଁ। ଠାକୁର ସାରା ଦିନ ଅପୂଜା ଓ ଉପାସରେ ରହିଥିଲେ। ଶୁକ୍ରବାର ମଧ୍ୟାହ୍ନରେ ବୈଠକ ହେବାରେ ନିଷ୍ପତ୍ତି ପରେ ନୀତି ସ୍ୱାଭାବିକ ହୋଇଥିଲା।