ମୁମ୍ବାଇ: ରୋଡ଼ ଶୋ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ବଲିଉଡ଼ ଅଭିନେତା ଗୋବିନ୍ଦା । ତୁରନ୍ତ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ରୋଡ଼ ଶୋ’ ବନ୍ଦ କରି ମୁମ୍ବାଇ ଫେରିଯାଇଥିଲେ ଗୋବିନ୍ଦା । ଏପରି ଅବସ୍ଥା ଦେଖି ସେଠାରେ ଆତଙ୍କ ଖେଳିଯାଇଥିଲା। ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିବା କୁହାଯାଉଛି । ଏହି ଖବର ପାଇବା ପରେ ତାଙ୍କର ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଶନିବାର ମହାରାଷ୍ଟ୍ରର ଜାଲଗାଓଁ ମୁକଟେନଗର, ବୋଡୱାଡ, ପାଚୋରା ଏବଂ ଚୋପ୍ରା ଠାରେ ମହାୟୁତି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ ବଲିଉଡ ଅଭିନେତା ଗୋବିନ୍ଦା । ରୋଡ ଶୋ ସମୟରେ ସେ ଜନତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବାକୁ ଏବଂ ଶାସକ ଦଳକୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ବାଧ୍ୟ ହୋଇ ତାଙ୍କୁ ରୋଡ଼ ଶୋକୁ ଅଧାରୁ ଛାଡ଼ିବାକୁ ପଡ଼ିଥିଲା । ପ୍ରାଥମିକ ଚିକିତ୍ସା କରାଯିବା ପରେ ସେ ମୁମ୍ବାଇ ଫେରିଯାଇଥିଲେ । ତାଙ୍କର ନିକଟତମ ବ୍ୟକ୍ତି କହିଛନ୍ତି ଯେ ଅଭିନେତା ବର୍ତ୍ତମାନ ସୁସ୍ଥ ଅଛନ୍ତି। ସେ ଥକି ଯାଇଥିଲେ ଏବଂ ଅସହଜ ଅନୁଭବ କରୁଥିଲେ । ତେବେ ଗୋବିନ୍ଦାଙ୍କଠାରୁ ଏନେଇ କୌଣସି ଅଫିସିଆଲ ଖବର ମିଳିନାହିଁ । ସିଏମ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗଦେବା ପରେ ଗୋବିନ୍ଦା ପୁନର୍ବାର ରାଜନୀତିରେ ପ୍ରବେଶ କରିଥିଲେ। ମହାରାଷ୍ଟ୍ରର ସମସ୍ତ ୨୮୮ ଟି ଆସନ ପାଇଁ ନଭେମ୍ବର ୨୦ ରେ ମତଦାନ ହେବାକୁ ଯାଉଛି। ନଭେମ୍ବର ୨୩ ରେ ଭୋଟ ଗଣନା ହେବ ।