ବ୍ରହ୍ମପୁର: ଜଳଭଣ୍ଡାରରୁ ବାହାରିଲା ରହସ୍ୟମୟ ମନ୍ଦିର । ଯାହା ବ୍ରିଟିଶ ଶାସନ ଅମଳରେ ନିର୍ମାଣ ହୋଇଥିବା ଅନୁମାନ କରାଯାଉଛି । ୧୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି ପାଣି ଭିତରେ ବୁଡ଼ି ରହିଥିବା ଏହି ପୁରାତନ ମନ୍ଦିର ଜଳଭଣ୍ଡାରର ଜଳସ୍ତର କମିଯିବାରୁ ଏବେ ଦୃଶ୍ୟମାନ ହୋଇଛି । ଏପରି ଏକ ରହସ୍ୟମୟ ମନ୍ଦିର ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ଭଞ୍ଜନଗର ଜଳଭଣ୍ଡାରରେ ।
ବର୍ଷ ବର୍ଷ ଧରି ପାଣିରେ ବୁଡ଼ି ରହିଥିବା ଏହି ମନ୍ଦିରର ଚୂଡ଼ା ଦୃଶ୍ୟମାନ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ, ଏହି ମନ୍ଦିରର ନାମ ବିଶ୍ୱନାଥ ମହାଦେବ ମନ୍ଦିର। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଗଞ୍ଜାମ ଜିଲ୍ଲାରେ ଥିବା ଜଳଭଣ୍ଡାରଗୁଡିକରେ ଜଳସ୍ତର ମାତ୍ରାଧିକ ପରିମାଣରେ କମି ଯାଇଛି। ଯାହା ଦ୍ୱାରା ପାଣି ଭିତରେ ବୁଡି ରହିଥିବା ରହସ୍ୟମୟ ମନ୍ଦିର ଏବେ ଦୃଶ୍ୟ ମାନ ହୋଇଛି। ସୂଚନା ଅନୁସାରେ, ଏହି ଜଳଭଣ୍ଡାରଟି ବ୍ରିଟିଶ ଶାସନ ଅମଳରେ ନିର୍ମାଣ ହୋଇଥିଲା। ଜଳଭଣ୍ଡାର ହେବା ପୂର୍ବରୁ ଏଠାରେ ଛେଦଭୂମି ଗାଁ ରହିଥିଲା। ବସତି ରହିବା ସହିତ ବିଶ୍ୱନାଥ ନାଥ ମହାଦେବଙ୍କ ମନ୍ଦିର ମଧ୍ୟ ରହିଥିଲା । ପରେ ସ୍ଥାନୀୟ ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ଆଜିକୁ ୧୩୦ରୁ ଉର୍ଦ୍ଧ ବର୍ଷ ପୂର୍ବେ ବ୍ରିଟିଶ ଶାସକ ରସେଲ ସାହେବଙ୍କ ନିର୍ଦ୍ଦେଶରେ ଛେଦଭୂମି ଗାଁକୁ ସ୍ଥାନାନ୍ତର କରାଯାଇ ଜଳ ଭଣ୍ଡାର ନିର୍ମାଣ ହୋଇଥିଲା। ଯାହାର ନାମ ଥିଲା ରସଲକୋଣ୍ଡା। ପରବର୍ତ୍ତୀ ସମୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଏହାକୁ ଭଞ୍ଜନଗର ଜଳଭଣ୍ଡାର ଭାବେ ନାମକରଣ କରାଯାଇଛି।
ଆଜିଯାଏଁ କେବେବି ପ୍ରାକୃତିକ ଉପାୟରେ ଜଳସ୍ତର କମି ନ ଥିଲା କି ମନ୍ଦିରର ଦଧିନଉତି ଦେଖିବାକୁ ମିଳି ନ ଥିଲା। ଜଳଭଣ୍ଡାର ଶୁଖିଯିବା ନିଶ୍ଚିତ ମରୁଡ଼ିର ପଦଧ୍ୱନି ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି। ଭଞ୍ଜନଗର ଠାରେ ଜଳଭଣ୍ଡାର ନିର୍ମାଣ ହେବା ପରଠୁ ଅଂଚଳରେ ମରୁଡି ଭଳି ସମସ୍ୟା ଦେଖିବାକୁ ମିଳିନାହିଁ। କାରଣ ଭଣ୍ଡାରର ଜଳଧାରଣ କ୍ଷମତା ୫୭୬୬ ହେକ୍ଟୋମିଟର ରହିଛି। ଏହା ଆଖ ପାଖ ଅଂଚଳର ଅଧିକାଂଶ ଜମିକୁ ଜଳ ସେଚିତ କରିପାରୁଛି। କିନ୍ତୁ ଚଳିତ ବର୍ଷ କମ ବର୍ଷା ହେବାରୁ ଭଞ୍ଜନଗର ଉପଖଣ୍ଡ ସମସ୍ତ ବ୍ଲକ୍ ରେ ଚାଷ କାର୍ଯ୍ୟ ଆଗେଇ ପାରିନି। ଖୁବ କମ ସ୍ଥାନରେ ଧାନ ରୁଆ ସାରିଥିବା ବେଳେ ଅଧିକାଂଶ ଜମି ଚାଷ ନହୋଇ ପଡିଆ ପଡିଛି। ଲେମ୍ଭେଇ ପଞ୍ଚାୟତ ରେ ଉଠାଜଳସେଚନ ଓ କେନାଲ ର ସୁବିଧା ନଥିବା ଯୋଗୁଁ ଚାଷ କାର୍ଯ୍ୟ ହୋଇନଥିବା କହିଛନ୍ତି ଚାଷୀ। ଗତ ବର୍ଷ ଅପେକ୍ଷା ଏହି ବର୍ଷ ୪୦ ପ୍ରତିଶତ କମ ବର୍ଷା ହୋଇଛି। ତେଣୁ ଜଳ ଭଣ୍ଡାରରେ ଜଳ ସଙ୍କଟ ଦେଖାଦେଇଛି। ଯାହା ଫଳରେ ବହୁ ବର୍ଷ ପୂର୍ବେ ନିର୍ମିତ ଏହି ପୁରାତନ ମନ୍ଦିର ଦୃଶ୍ୟମାନ ହୋଇଛି।