ଡିସେମ୍ବର ୩ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ୬ରେ ଯିବେ ମୟୂରଭଞ୍ଜ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୩ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଉ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ଗତ ୩ ତାରିଖରେ ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ । ସେ ୩ ଦିନ ଧରି ଭୁବନେଶ୍ୱର ଓ ପୁରୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ୬ ତାରିଖରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମୟୂରଭଞ୍ଜ ଜିଲା ଗସ୍ତ କରିବେ । କୁସୁମୀ ବ୍ଲକ୍ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡ଼ରେ ଅବତରଣ କରି ସଡ଼କ ପଥରେ ନିଜ ଜନ୍ମମାଟି ଉପରବେଡ଼ା ଗାଁକୁ ଯିବେ। ନିଜେ ପାଠ ପଢ଼ିଥିବା ଉପରବେଡ଼ା ସରକାରୀ ଉଚ୍ଚବିଦ୍ୟାଳୟକୁ ଯାଇ ସେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ। ସେଠାରୁ ନିଜ ଘରକୁ ଯିବେ। ରାଇରଙ୍ଗପୁରସ୍ଥ ଘରେ ମଧାହ୍ନଭୋଜନ କରିବା ପରେ ଉପଖଣ୍ଡ ଚିକିତ୍ସାଳୟରେ ଏସ୍‌ଏଲ୍‌ଏସ୍ ଟ୍ରଷ୍ଟ ପକ୍ଷରୁ ପ୍ରଦତ୍ତ ଏକ ଯାନକୁ ଲୋକାର୍ପିତ କରିବେ। ଏଥିସହିତ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପକଙ୍କ ସହିତ ଆଲୋଚନା କରିବା ପରେ ପୁଣେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ।

ସେଦିନ ରାଇରଙ୍ଗପୁରସ୍ଥ ବାସଭବନରେ ରାତ୍ରୀ ଯାପନ କରିବେ। ୭ ତାରିଖ ସକାଳେ କେତେକ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ବାଙ୍ଗିରିପୋଷି ଯାଇ ବହୁ ପ୍ରତୀକ୍ଷିତ ୩ଟି ନୂତନ ରେଳପଥ ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା–ଚାକୁଳିଆ ଓ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳପଥର ଶିଳାନ୍ୟାସ କରିବେ। ଏହାସହିତ ଆଭାସୀ ଜରିଆରେ ଆଦିବାସୀ ଗବେଷଣା କେନ୍ଦ୍ର, ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ ଓ ଉପଖଣ୍ଡ ଚିକିତ୍ସାଳୟର ପୁନରୁଦ୍ଧାର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସଭା ଶେଷ ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *