ମୁମ୍ବାଇ: ଟେକା ମାଡ଼ରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀଙ୍କ ମୁଣ୍ଡ ଫାଟିଲା । ଆଘାତ ଯୋଗୁ ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କାଟୋଲସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ତାଙ୍କ ପୁଅ ସଲୀଲ ଦେଶମୁଖଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଫେରୁଥିବାବେଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଜଣାପଡ଼ିଛି। ଏ ନେଇ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି।
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ଶରଦ ଗୋଷ୍ଠୀ ନେତା ଅନୀଲ ଦେଶମୁଖ ନାଗପୁରର କାଟୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ନରଖେଡରୁ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ସେଠାରୁ ସେ କାଟୋଲ ଅଭିମୁଖେ ଆସୁଥିଲେ । କାଟୋଲର ଜଲାଲଖେଡା ରୋଡରେ କେତେକ ଦୁର୍ବୃତ୍ତ ତାଙ୍କ ଗାଡି ଉପରକୁ ଟେକା ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଯାହା ଅନୀଲଙ୍କ ମୁଣ୍ଡରେ ବାଜିବାରୁ ଫାଟି ଯାଇଥିଲା । ଫଳରେ ସେ ଆହତ ହୋଇଥିଲେ । ଅନୀଲ ଦେଶମୁଖଙ୍କୁ ଚିକିତ୍ସା ପାଇଁ କାଟୋଲର ଏକ ଡାକ୍ତରଖାନାକୁ ନିଆଯାଇଥିଲା । ମହାବିକାଶ ଅଘାଡି ପକ୍ଷରୁ ଅନୀଲ ଦେଶମୁଖଙ୍କ ପୁଅ ସଲିଲ ଦେଶମୁଖ କାଟୋଲରୁ ନିର୍ବାଚନ ଲଢୁଥିବା ବେଳେ ଅନୀଲ ଦେଶମୁଖ ସଲିଲ ଦେଶମୁଖଙ୍କ ପାଇଁ ପ୍ରଚାର କରିବା ପାଇଁ ନରଖେଡ ଯାଇଥିଲେ । ସେମାନେ କାରରେ ବସିଥିବା ବେଳେ ସେମାନଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିଲା।