ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନର୍ବାଚନ, ଆଜି ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ହେଭିୱେଟ୍ ନେତା ଭୋଟ ଦେଇଛନ୍ତି। ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଏନସିପି (ଏସପି) ସୁପ୍ରିମୋ ଶରଦ ପାୱାର, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ନିଜ ଦଳ ପାଇଁ ଲୋକଙ୍କ ଭୋଟ ପାଇବାକୁ ଚେଷ୍ଟା କରୁଛନ୍ତି। ଏହି ବିଧାନସଭା ନିର୍ବାଚନ ଏହି ଚାରି ନେତାଙ୍କ ପାଇଁ ଏକ କଠିନ ପରୀକ୍ଷା ଭାବରେ ଉଭା ହୋଇଛି । ସେହିପରି ଝାଡଖଣ୍ଡରେ ମଧ୍ୟ ଭାଜପା ଏବଂ କଂଗ୍ରେସ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିବ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ବଡ଼ ଲଢ଼େଇ । ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ । ଆଜି ରାଜ୍ୟର ସମସ୍ତ ୨୮୮ ବିଧାନସଭା ଆସନ ଲାଗି ପଡ଼ିବ ଭୋଟ୍ ମୈଦାନରେ ଅଛନ୍ତି ମୋଟ୍ ୪ ହଜାର ୧୩୬ ପ୍ରାର୍ଥୀ । ଏମାନଙ୍କ ମଧ୍ୟରେ ୨ ହଜାର ୮୬ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ମହାୟୁତିରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ରହିଥିବା ବେଳେ ମହାବିକାଶ ଆଘାଡ଼ିରେ କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ରହଛି । ଏଥର ନେତା ବାଛିବେ ମୋଟ୍ ୯ କୋଟି ୭୦ ଲକ୍ଷ ମତଦାତା । ବିଜେପି ୧୪୯, ଶିବସେନା ୮୧ ଓ ଏନସିପି ୫୯ ଆସନରେ ପ୍ରାର୍ଥୀ ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ୧୦୧, ଶିବସେନା (ୟୁବିଟି) ୯୫ ଓ ଏନସିପି (ଏସପି) ୮୬ ସିଟ୍‌ରେ ଲଢୁଛନ୍ତି । ରାଜ୍ୟରେ ପ୍ରାୟ ୫ ଲକ୍ଷ ପୋଲିଂ କର୍ମଚାରୀ ୧ ଲକ୍ଷ ୪ଶହ ୨୭ଟି ମତଦାନ କେନ୍ଦ୍ରରେ ନିୟୋଜିତ ରହିଛନ୍ତି। ସେହିପରି ମତଦାତାମାନେ ନିର୍ଭୟରେ ଭୋଟ୍ ଦେବା ପାଇଁ ୨ ଲକ୍ଷ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ସେହିପରି ଆଜି ଦ୍ୱିତୀୟ ପର‌୍ୟ୍ୟାୟରେ ଝାଡ଼ଖଣ୍ଡରେ ୩୮ ଆସନରେ ଭୋଟ୍ ପଡ଼ିବ । ଏଥର ମୈଦାନରେ ମୋଟ୍ ୫୨୮ ପ୍ରାର୍ଥୀ ରହିଛନ୍ତି । ପାଖାପଖି ୧ କୋଟି ୨୩ ଲକ୍ଷ ମତଦାତା ଭୋଟ୍ ଦେବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଗ୍ନିପରୀକ୍ଷା ରହିଛି । ଏହି ପର‌୍ୟ୍ୟାୟରେ ପତ୍ନୀ କଳ୍ପନା ସୋରେନଙ୍କ ଭାଗ୍ୟ ନିର୍ଣ୍ଣୟ ହେବ । ମୋଟ୍ ୧୪ ହଜାର ୨୧୮ ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ହେଉଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଝାଡ଼ଖଣ୍ଡ ବିଧାନସଭାର ମୋଟ୍ ୮୧ଟି ଆସନ ରହିଥିବା ବେଳେ ପ୍ରଥମ ପର‌୍ୟ୍ୟାୟରେ ଭୋଟ୍ ୧୩ ତାରିଖରେ ହୋଇଥିଲା । ମୋଟ ୪୩ଟି ଆସନ ଲାଗି ମତଦାନ ହୋଇଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *