ନୂଆଦିଲ୍ଲୀ: ୬୨ ବର୍ଷରେ ବିବାହ କଲେ ପୂର୍ବତନ ବିଧାୟକ ରାମ ବାଲକ ସିଂହ । ସେ ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ପୂର୍ବତନ ବିଧାୟକ ପୂର୍ବରୁ ବିବାହ କରିଥିଲେ । ହେଲେ ତାଙ୍କର ପ୍ରଥମ ପତ୍ନୀଙ୍କ ଦେହାନ୍ତ ହେବା ପରେ ଏବେ ସେ ଦ୍ୱିତୀୟ ବିବାହ କରିଛନ୍ତି । ଏହି ବିବାହର ଫଟୋ, ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ନବଦମ୍ପତ୍ତିଙ୍କୁ ତାଙ୍କର ବନ୍ଧୁ, ପରିଜନ ଓ ଶୁଭେଚ୍ଛୁଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ପୂର୍ବତନ ବିଧାୟକ ଏହି ବୟସରଙ୍କ ବିବାହ କରିଥିବା ଖବର ପ୍ରଚାର ହେବା ପରେ ଅନେକ ତାଙ୍କୁ ଟ୍ରୋଲ କରିଥିବା ଜଣାଯାଇଛି ।
ଜେଡିୟୁର ପୂର୍ବତନ ବିଧାୟକ ରାମ ବାଲକ ସିଂହଙ୍କ ଏହି ବିବାହ ବିହାରର ବେଗୁସରାୟ ଜିଲ୍ଲାର ଗଡ଼ପୁରା ସ୍ଥିତ ହରୀ ଗିରି ଧାମରେ ସମ୍ପନ୍ନ ହୋଇଛି । ସେ ଜିଲ୍ଲାର ଅଲୌଲୀ ଗ୍ରାମର ବାସିନ୍ଦା ସୀତରାମ ସିଂହଙ୍କ କନ୍ୟା ରବୀନା କୁମାରୀଙ୍କୁ ବିବାହ କରିଛନ୍ତି । ତେବେ ପୂର୍ବତନ ବିଧାୟକଙ୍କ ବୟସକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି । କିଛି ଲୋକ ପୂର୍ବତନ ବିଧାୟକଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ ଆଉ କିଛି ୟୁଜର୍ସ ଟ୍ରୋଲ କରୁଥିବା ଦେଖାଯାଉଛି ।