ଉତ୍ତରପ୍ରଦେଶ: ନିଜ ବିବାହକୁ ସ୍ପେଶାଲ କରିବା ପାଇଁ ସମସ୍ତେ ଚାହାଁନ୍ତି। ଖାଇବା ପିଇବା ଠୁ ଆରମ୍ଭ କରି ସାଜସଜା ଏହା ସହ ଫୋଟୋ ସୁଟ୍ ମଧ୍ୟ କରାନ୍ତି। ଜୀବନର ଗୋଟିଏ ଦିନକୁ ସ୍ପେଶାଲ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ହେଲେ କେଉଁଠି ବିବାହ ଉତ୍ସବରେ ଟଙ୍କା ଉଡ଼ାଯାଉଥିବାର ଖବର ଶୁଣିଛନ୍ତି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଘଟିଛି।। ସେଠାରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଉଡ଼ିଲା ଟଙ୍କା । ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି। ଏହାର ଭିଡିଓ ଏବେ ସୋସିଶାଲ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟାଣ୍ଡ, ବାଜା ବଜାଇ ବର ପକ୍ଷ କନିଆ ଘର ସମ୍ମୁଖରେ ପହଞ୍ଚିଥିଲା। ଏହାପରେ ବିବାହ ଆରମ୍ଭ ହୋଇଥିବା ବେଳେ କନିଆ ଘର ଛାତ ଉପରେ ତଥା ନିକଟରେ ଥିବା ଜେସିବି ଉପରେ ବର ଯାତ୍ରୀ ଚଢ଼ି ଯାଇଥିଲେ। ଏହାପରେ ସେମାନେ ଯାହା କଲେ ସମସ୍ତେ ଚକିତ ହୋଇଗଲେ।
କାରଣ କାଗଜ ଖଣ୍ଡ ଉଡ଼ିବା ପରି ଆକାଶରୁ ଉଡ଼ିଲା ଟଙ୍କା। ଛାତ ଉପରେ ତଥା ଜେସିବି ଉପରେ ଚଢ଼ିଯାଇଥିବା ବର ଯାତ୍ରୀ ଖାଲି ଶହେ ଓ ଦୁଇ ଶହ ଓ ୫ଶହ ଟଙ୍କାର ନୋଟ୍ ବର୍ଷା କରିବାକୁ ଲାଗିଲେ। ଏପରି କରି ସେମାନେ ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ଶୁଣିବାକୁ ମିଳୁଛି। ତଳେ ଥିବା ଲୋକେ ଆଖି ପିଛୁଳାକେ ଏହି ସବୁ ନୋଟ୍ ଗୋଟାଇ ନେଇ ଯାଇଥିଲେ।