ନୂଆଦିଲ୍ଲୀ: ଡ଼୍ୟୁଟି ସମୟ ସରିଯିବାରୁ ଜଣେ ପାଇଲଟ୍ ଅଧରାସ୍ତାରେ ଯାତ୍ରୀଙ୍କୁ ଛାଡ଼ି ଚାଲିଯାଇଛନ୍ତି । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଜୟପୁରରେ । ଜୟପୁର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏୟାର ଇଣ୍ଡିଆର ପାଇଲଟ ଅଧାରୁ ବିମାନ ଛାଡି ଚାଲିଯାଇଛନ୍ତି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପରେ ସମସ୍ତ ଯାତ୍ରୀଙ୍କୁ ସଡ଼କ ପଥରେ ଦିଲ୍ଲୀ ପଠାଯାଇଥିଲା ।
ଏୟାର ଇଣ୍ଡିଆର ଇଓ-୨୦୨୨ ବିମାନ ପ୍ୟାରିସରୁ ୧୮୦ରୁ ଅଧିକ ଯାତ୍ରୀଙ୍କୁ ଧରି ଦିଲ୍ଲୀ ବାହାରିଥିଲା । ରବିବାର ରାତି ୧୦ଟାରେ ପ୍ୟାରିସରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିଲା ବିମାନ । ସୋମବାର ସକାଳ ୧୦ଟା ୩୫ ମିନିଟରେ ଦିଲ୍ଲୀ ପହଞ୍ଚିବା ନେଇ ସ୍ଥିର କରାଯାଇଥିଲା । କିନ୍ତୁ ପାଗ ଖରାପ କାରଣରୁ ଫ୍ଲାଇଟ ଦିଲ୍ଲୀରେ ଲ୍ୟାଣ୍ଡ କରିପାରିଲା ନାହିଁ । ଏହାପରେ ସକାଳ ୧୨ଟା ୧୦ ମିନିଟରେ ଫ୍ଲାଇଟକୁ ଜୟପୁରରେ ଲ୍ୟାଣ୍ଡ କରାଯାଇଥିଲା । ଏହାପରେ ଗ୍ରୀନ ସିଗନାଲ ପାଇଁ ପାଇଲଟ ଜଣକ ଅପେକ୍ଷା କରିଥିଲେ ହେଁ ଦ୍ୱିପହର ଯାଏଁ ଏହା ସମ୍ଭବ ହୋଇପାରି ନ ଥିଲା । ତେବେ ଡ୍ୟୁଟି ଓଭର ହେବା କାରଣରୁ ପାଇଲଟ ଜଣକ ବିମାନ ଛାଡି ପଳାଇ ଯାଇଥିଲେ । ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଯାତ୍ରୀମାନେ ୯ ଘଣ୍ଟା ଧରି ହଇରାଣ ହରକତ ହେଉଥିବା ଦେଖାଯାଇଥିଲା । ପରବର୍ତ୍ତୀ ସମୟରେ ସମସ୍ତ ଯାତ୍ରୀଙ୍କୁ ବସ ଯୋଗେ ଦିଲ୍ଲୀ ପଠାଯାଇଥିଲା ।