ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ। ଶ୍ରୀକ୍ଷେତ୍ର ଯାଇ ଶ୍ରୀମନ୍ଦିରରେ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି ସୋନୁ। ଦୀର୍ଘ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି । ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ଵାରରେ ସେବାୟତ ମାନେ ତାଙ୍କୁ ଖଣ୍ଡୁଆ ଦେଇ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ । ପରେ ଶ୍ରୀମନ୍ଦିର ଭିତର ବେଢାରେ ଥିବା ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ମଧ୍ୟ ସୋନୁ ନିଗମ ବୁଲି ଦର୍ଶନ କରିଥିଲେ ।
ମହାପ୍ରଭୁଙ୍କ ଦର୍ଶନ କରି ସୋନୁ ନିଗମ କହିଛନ୍ତି, ‘ପୂର୍ବରୁ ବି ଆସିଛି । ବହୁତ ଭଲ ଭାବେ ମହାପ୍ରଭୁଙ୍କ ଦର୍ଶନ ହେଲା । ଏଥିପାଇଁ ବହୁତ ଖୁସି ।’ ଏହି ଅବସରରେ ମହାପ୍ରଭୁଙ୍କ ପାଇଁ ଗୀତ ବୋଲିଥିଲେ କଣ୍ଠଶିଳ୍ପୀ ସୋନୁ ନିଗମ । ମଙ୍ଗଳବାର ଦିନ ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟାର ସାସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ ବିଶିଷ୍ଟ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ । ଲକ୍ଷାଧିକ ଦର୍ଶକଙ୍କ ସମାଗମରେ ଉଛୁଳିଥିଲା ଉଭୟ ଉପର ଓ ତଳ ପଡିଆ ।
ପାଖାପାଖି ଅଢେ଼ଇ ଘଣ୍ଟା ଧରି ସୋନୁ ନିଗମଙ୍କ ନନଷ୍ଟପ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ । ହିନ୍ଦୀ ସହିତ ଓଡ଼ିଆ ଭଜନ ଓ ଆଧୁନିକ ଗାଇଥିଲେ ସୋନୁ । ସୋନୁ ନିଜେ ପୂର୍ବରୁ କଣ୍ଠଦାନ କରିଥିବା ଶ୍ରୀ ଜଗନ୍ନାଥଙ୍କ ଭଜନ ‘ତୋ ଆଗରେ କିଛି ଧୂପ’ ପରିବେଷଣ ଆରମ୍ଭ କରିବା ପୂର୍ବରୁ ମଞ୍ଚରେ ଜୋତା ଓହ୍ଲାଇ ଜଗନ୍ନାଥଙ୍କୁ ନମନ କରିଥିଲେ । ଏହାପରେ ‘ପୁଚୁକି ଗାଲି, ଫେସନ ବାଲି’ ଏବଂ ‘ସୁନେଲି ସୁନେଲି ଖରା’ ଆଦି ହିଟ ଓଡିଆ ଗୀତ । ଯାହା ଓଡିଆ ସଙ୍ଗୀତପ୍ରେମୀ ଓ ବିଶେଷ ଭାବେ ସୋନୁଙ୍କ ପ୍ରଶଂସକଙ୍କୁ ମତୁଆଲା କରିଥିଲା ।