ନୂଆଦିଲ୍ଲୀ: ଏପରି ଆସେ ମୃତ୍ୟୁ। କଥାରେ ଅଛି ନିଶ୍ୱାସକୁ ବିଶ୍ୱାସ ନାହିଁ। ମୃତ୍ୟୁ କେତେବେଳେ କାହାକୁ ଆସେ ଏକଥା କେହି ଜାଣି ନାହାଁନ୍ତି। ଏଭଳି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶରେ। ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ଜିଲ୍ଲାର ଏକ ବିବାହ ଉତ୍ସବରେ ଘଟିଯାଇଛି ଦୁଃଖଦ ଘଟଣା। ସାଙ୍ଗ ବିବାହ ପାଇଁ ସୁଦୂର ବାଙ୍ଗାଲୁରୁରୁ ଆସିଥିଲେ ଆନ୍ଧ୍ରପ୍ରଦେଶ। ବିବାହ ଉତ୍ସବରେ ସାମିଲ ହେଲେ। ଏହାପରେ ଷ୍ଟେଜ ଉପରେ ବରକନିଆଙ୍କୁ ଗିଫ୍ଟ ଦେଲେ। ମାତ୍ର ତା’ ପରେ ବିଗିଡ଼ିଗଲା ଅବସ୍ଥା। ହେଲେ ଛାତିରେ ଯନ୍ତ୍ରଣା ଓ ଷ୍ଟେଜ ଉପରେ ହିଁ ଟଳି ପଡ଼ିଲେ ଯୁବକ ।
ଯୁବକ ଜଣକ ଆମାଜନ୍ର ଜଣେ କର୍ମଚାରୀ ଥିଲେ। ବିବାହ ଉତ୍ସବରେ ବରକନିଆ ଷ୍ଟେଜ ଉପରେ ଥିବା ବେଳେ ଅନ୍ୟମାନେ ହସଖୁସିରେ ମାତିଥିଲେ। ଏହି ସମୟରେ ଗିଫ୍ଟ ଦେବାକୁ ଭାମସୀ ଷ୍ଟେଜ ଉପରକୁ ଯାଇଥିଲେ। ମାତ୍ର ଗିଫ୍ଟ ଦେବା ପରେ ସେ ସେହିଠାରେ ହିଁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଟଳି ପଡ଼ିଥିଲେ। ପାଖରେ ଛିଡ଼ା ହୋଇଥିବା ଲୋକ ତାଙ୍କୁ ଧରି ପକାଇଥିଲେ। ଭାମସୀଙ୍କୁ ଧୋନ ନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ବେଙ୍ଗାଲୁରୁର ଆମାଜନ କର୍ମଚାରୀ ଦମ୍ପତିଙ୍କୁ ମଞ୍ଚରେ ଅଭିବାଦନ ଜଣାଇ ସେମାନଙ୍କୁ ଉପହାର ଦେଉଥିବାର ଦେଖାଯାଇଛି। ହେଲେ ସେହି ଖୁସି ତାଙ୍କର ମାତ୍ର କେତେ ସମୟ ମଧ୍ୟରେ ପାଣି ଫଟକା ପରି ଫାଟିଯାଉଛି। ଭାମସି ନାମକ ଏହି ଯୁବକ ତାଙ୍କ ବନ୍ଧୁଙ୍କ ବିବାହ ପାଇଁ ବେଙ୍ଗାଲୁରୁରୁ ନିଜ ବନ୍ଧୁର ପେନୁମୁଦା ଗ୍ରାମକୁ ଯାଇଥିଲେ। ବର ଉପହାର ରାପର ଖୋଲିବା ଆରମ୍ଭ କଲାବେଳେ ଭାମସି ଭାରସାମ୍ୟ ହରାଇବାକୁ ଲାଗିଲେ ଏବଂ ତାଙ୍କ ପାଖରେ ଠିଆ ହୋଇଥିବା ଲୋକମାନେ ତାଙ୍କୁ ଧରିଥଲେ ବୋଲି ଭିଡିଓରେ ଦର୍ଶାଯାଇଛି।