ମୁମ୍ବାଇ: ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ସନା ଖାନ୍ । ଏହି ଖୁସି ଖବର ସେ ନିଜେ ତାଙ୍କ ଇନ୍ଷ୍ଟାଗ୍ରାମରେ ଭିଡ଼ିଓ ସେୟାର କରିଛନ୍ତି । ଏହା ଜାଣିବା ପରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
‘ବିଗ୍ ବସ୍ ୬’ ଫେମ୍ ସନା ଖାନ୍ । ତାଙ୍କ ଘରକୁ ପୁଣି ଆସିବ କୁନି ଅତିଥି । ଫିଲ୍ମ ଦୁନିଆରୁ ଅଲବିଦା କହିଥିବା ସନା ଖାନ୍ ଦ୍ୱିତୀୟ ଥର ମା’ ହେବେ । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ବମ୍ବେ ଟୁ ଗୋଆ, ଧନ୍ ଧନା ଧନ୍ ଗୋଲ, ଟଏଲେଟ୍: ଏକ୍ ପ୍ରେମ୍ କଥା, ୱଜହ ତୁମ୍ ହୋ, ଜୟ ହୋ ଆଦି ଫିଲ୍ମରେ ସନା ଖାନ୍ ନଜର ଆସିଥିଲେ । ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସନ୍ୟାସ ନେଇସାରିଛନ୍ତ ଏବଂ ନିଜ ବୈବାହିକ ଜୀବନକୁ ଏନଜୟ କରୁଛନ୍ତି ।
ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ହେ ଆଲ୍ଲା, ଆମେ ନୂଆ ଖୁସିକୁ ସ୍ୱାଗତ କରିବା ପାଇଁ ଆଉ ଅପେକ୍ଷା କରିପାରୁ ନାହୁଁ । ଆପଣଙ୍କ ଆଶୀର୍ବାଦରୁ ଆମ ୩ ଜଣଙ୍କ ପରିବାର ଏବେ ୪ ହେବାକୁ ଯାଉଛି । ଆମ ଘରକୁ ଛୋଟ ଅତିଥି ଆସିବ । ସୈୟଦ ତାରିକ ଜମିଲ ବଡ଼ ଭାଇ ହେବା ପାଇଁ ବହୁତ ଉତ୍ସାହିତ ଅଛି । ଆଲ୍ଲାଙ୍କ ପାଖରେ ସବୁ ଦେବାର ଶକ୍ତି ଅଛି । ପବିତ୍ର ମନରେ ପ୍ରାର୍ଥନା କଲେ ସେ ନିଶ୍ଚିତ ସ୍ୱୀକାର କରିବେ ।’ କହିରଖୁଛୁ ସନା ଖାନ୍ ୨୦୨୦ରେ ମୁଫତି ଅନସ ସୟଦଙ୍କୁ ବିବାହ କରିଥିଲେ । ୨୦୨୩ରେ ଦୁହେଁ ପ୍ରଥମ ଥର ପାଇଁ ବାପାମାଆ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।