ଭୁବନେଶ୍ୱର: ଏବେ ସୋସିଆଲ ମିଡ଼ିଆର କ୍ରେଜ୍ ଖୁବ୍ ଅଧିକ । ଆଜିକାଲି କମ୍ ସମୟରେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସମସ୍ତଙ୍କ ଇଛା । ଏଥିଲାଗି ଲୋକେ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି । ନିକଟରେ ଜଣେ ଅଭିନେତ୍ରୀ ବିନା ହେଲମେଟ୍ରେ ରାଜରାସ୍ତାରେ ରିଲ୍ସ କରିବା ମହଙ୍ଗା ପଡ଼ିଛି । ଏହି କାରଣରୁ ଅଭିନେତ୍ରୀଙ୍କ ସ୍କୁଟିକୁ ଜବତ କରାଯିବା ସହ ଜରିମ।ନା କରାଯାଇଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ନିକଟରେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ବିନା ହେଲମେଟ୍ରେ ରାଜରାସ୍ତାରେ ରିଲ୍ସ କରିଥିଲେ । ଏହାକୁ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ସେୟାର କରିଥିଲେ । ଜଣେ ଯୁବତୀ ବିନା ହେଲମେଟରେ ବେପରୁଆ ଭାବେ ଗାଡ଼ି ଚଳାଇବା ସହ ରିଲ୍ସ କରୁଥିବା ନେଇ ନାରାୟଣ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଟୁଇଟ୍ କରି ଆରଟିଓକୁ ଜଣାଇଥିଲେ । ସେ ସ୍କୁଟି ନମ୍ବର ସହ ଯୁବତୀଙ୍କ ଫଟୋ ସେୟାର କରିଥିଲେ । ଏମିତି କି ଏମ୍ଭି ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଏହା ଦେଖିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆରଟିଓ-୨ଙ୍କୁ ନିର୍ଦ୍ଦେଶ ଦେଇଥିଲେ ପରିବହନ ଆୟୁକ୍ତ । ପରେ ରାନୀଙ୍କ ସ୍କୁଟି ଜବତ କରିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ । ଏନେଇ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।