ନୂଆଦିଲ୍ଲୀ: ସାରା ବିଶ୍ୱରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଏହି ଅବସରରେ ଭାରତରେ ମଧ୍ୟ ଏକ ଐତିହାସିକ କାର୍ଯ୍ୟ କରାଯାଉଛି । ଆଜି ଗୋଟିଏ ଦିନ ମହିଳାଙ୍କ ହାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା । ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କ ସୁରକ୍ଷା ମହିଳାମାନଙ୍କ ହାତରେ ରହିଛି । ଅନ୍ତର୍ଜାତୀୟ ମହିଳା ଦିବସରେ, ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ନବସାରୀ ଜିଲ୍ଲାରେ ମହିଳା ଦିବସ କାର୍ଯ୍ୟକ୍ରମରେ ଏକ ମେଗା ଇଭେଣ୍ଟକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମହିଳା ଶକ୍ତିର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି । ସେଠାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମହିଳା ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି କହିଛନ୍ତି ଯେ, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୁଜରାଟ ପୋଲିସ ଏକ ଅନନ୍ୟ ପଦକ୍ଷେପ ନେଇଛି । ଭାରତର ଇତିହାସରେ ପ୍ରଥମ ଥର ପାଇଁ, କେବଳ ମହିଳା ପୋଲିସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସୁରକ୍ଷା ପରିଚାଳନା କରିଛନ୍ତି । ନବସାରୀର ଭାନସି ବୋର୍ସି ଗାଁର ହେଲିପ୍ୟାଡରେ ପହଞ୍ଚିବାଠାରୁ ଆରମ୍ଭ କରି କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମହିଳାମାନଙ୍କ ହାତରେ ରହିଛି। ମହିଳା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଆଇପିଏସ ଅଧିକାରୀ ଏବଂ କନଷ୍ଟେବଳ ସାମିଲ ହୋଇଛନ୍ତି ।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ମହିଳାମାନଙ୍କୁ ସେମାନଙ୍କ ଶକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି କହିଛନ୍ତି, ମହିଳା ଦିବସରେ ଆମେ ନାରୀ ଶକ୍ତିକୁ ପ୍ରଣାମ କରୁଛୁ! ଆମ ସରକାର ସବୁବେଳେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଆସିଛି । ଏହା ଆମର ଯୋଜନା ଏବଂ କାର୍ଯ୍ୟକ୍ରମରେ ପ୍ରତିଫଳିତ ହୁଏ । ପ୍ରତିଶ୍ରୁତି ଅନୁଯାୟୀ, ବିଭିନ୍ନ କ୍ଷେତ୍ରରେ ନିଜର ଛାପ ସୃଷ୍ଟି କରୁଥିବା ମହିଳାମାନେ ମୋର ସୋସିଆଲ ମିଡିଆ ହ୍ୟାଣ୍ଡେଲ ସମ୍ଭାଳିବେ ।