ସମୁଦ୍ର ମଝିରେ ଗଢି ଉଠିଥିଲା ଅତ୍ୟାଧୁନିକ ସହର, ୪୫ ବର୍ଷ ହେଲା ପଡ଼ିଛି ଖାଲି

ନୂଆଦିଲ୍ଲୀ : ମଝି ସମୁଦ୍ରରେ ଗଢି ଉଠିଥିଲା ଅତ୍ୟାଧୁନିକ ସହର। ଏଠାରେ ଥିଲା ସୁଉଚ୍ଚ ଅଟ୍ଟାଳିକା । ମେଡିକାଲ୍ ଠାରୁ ସ୍କୁଲ କଲେଜ ଯାଏଁ ଏଠି ଥିଲା ସବୁ ସୁବିଧା। ଲୋକଙ୍କ ମନୋରଞ୍ଜନ ପାଇଁ ତିଆରି ହୋଇଥିଲା ରେଷ୍ଟ୍ରୁରାଣ୍ଟ ଏବଂ ସୁଇମିଂ ପୁଲ୍‌। ଏହି ସହରକୁ ସମୁଦ୍ର ଜୁଆରରୁ ରକ୍ଷା ପାଇବା ପାଇଁ ନିର୍ମାଣ ହୋଇଥିଲା ସୁଉଚ୍ଚ ଗାର୍ଡ ୱାଲ୍‌। ଦୁନିଆର ସବୁଠୁ ଧନୀ ଦ୍ୱୀପ ମଧ୍ୟରେ ଗଣା ହେଉଥିଲା ଏହି ଆଇଲାଣ୍ଡ। ହେଲେ ଏମିତି କଣ ହେଲା ଯେ ରାତାରାତି ଏହି ଆଇଲ୍ୟାଣ୍ଡ ଛାଡ଼ି ଚାଲିଗଲେ ଏଠାକାର ଲୋକ । ଦୀର୍ଘ ୪୫ ବର୍ଷ ହେଲାଣି ଖାଲି ପଡ଼ିଛି ଏହି ଦ୍ୱୀପ ।

ଦୁନିଆରେ ଅନେକ ଦ୍ୱୀପ ରହିଛି, ସେଥିମଧ୍ୟରୁ ଏକ ଦ୍ୱୀପ ରହିଛି ଜାପାନରେ । ଜାପାନର ନାଗାସାକିଠାରୁ ମାତ୍ର ୧୫ କିମି ଏହି ଦ୍ୱୀପ, ଯାହାର ନାମ ହେଉଛି ହାସିମା ଆଇଲ୍ୟାଣ୍ଡ୍‌। ଏହା ଦେଖିବାକୁ ଏକ ଯୁଦ୍ଧପୋତ ଆକୃତିର। ତେଣୁ ଏହାର ଅନ୍ୟନାମ ରଖାଯାଇଛି ବ୍ୟାଟଲସିପ୍ ଆଇଲ୍ୟାଣ୍ଡ୍‌। ୧୬ ଏକର ବିଶିଷ୍ଟ ଏହି ଦ୍ୱୀପରେ ବସବାସ କରୁଥିଲେ ୧୦ ହଜାରରୁ ଅଧିକ ଲୋକ। ଏମାନଙ୍କର ପ୍ରମୁଖ କାମ ଥିଲା ଖଣିରୁ କୋଇଲା ସଂଗ୍ରହ କରିବା।

ଚାଇନା, କୋରିଆ ଏବଂ ୱାର୍ଲ୍ଡ ୱାରର ଯୁଦ୍ଧ ବନ୍ଦୀମାନଙ୍କୁ ଆଣି ଏଠାରେ ଶ୍ରମିକ ଭାବେ କାମ କରାଉଥିଲା ଜାପାନ। ସେମାନଙ୍କ ରହିବା ପାଇଁ ଏହି ଦ୍ୱୀପରେ କରାଯାଇଥିଲା ସମସ୍ତ ବନ୍ଦୋବସ୍ତ। ଆଉ ଏହି ଦ୍ୱୀପରେ ନିର୍ମାଣ କରାଯାଇଥିଲା ଜାପାନର ପ୍ରଥମ ୯ ମହଲା କୋଠା। ହେଲେ ୧୬ ଏକର ବିଶିଷ୍ଟ ଦ୍ୱୀପରେ ୧୦ ହଜାର ଲୋକ ରହିବା ମୁସ୍କିଲ ହୋଇପଡ଼ୁଥିଲା। ଏମିତି କି ଘରଗୁଡ଼ିକରେ ଶୋଇବା ବେଳେ କଡ଼ ଲେଉଟାଇ ପାରୁ ନ ଥିଲେ ଲୋକେ। ଖାଦ୍ୟପେୟର ବି ଅଭାବ ଦେଖାଦେଉଥିଲା। କୋଇଲା ଲୋଭରେ ଶ୍ରମିକମାନଙ୍କ ଉପରେ ଏଭଳି ଅତ୍ୟାଚାର କରୁଥିଲା ଜାପାନ। କାରଣ ହାସିମା ଆଇଲ୍ୟାଣ୍ଡରେ ଥିଲା କୋଇଲାର ଭଣ୍ଡାର।

୧୮୮୭ରୁ ୧୯୭୪ ମସିହା ପର୍ଯ୍ୟନ୍ତ ଏହି ଦ୍ୱୀପରେ ଚାଲିଥିଲା କୋଇଲା ମାଇନିଂ। ଏହାର ଦାୟିତ୍ୱ ନେଇଥିଲା ମିସ୍ତୁବିସ୍ କମ୍ପାନୀ। ସେତେବେଳେ କୋଇଲା କାଢିବା ପାଇଁ ନ ଥିଲା କୌଣସି ଅତ୍ୟାଧୁନିକ ମେସିନ । ଏଥିପାଇଁ ପାରମ୍ପରିକ ଉପାୟରେ କରାଯାଉଥିଲା ମାଇନିଂ। ଜୀବନକୁ ପାଣି ଛଡାଇ କୋଇଲା କାଢୁଥିଲେ ଶ୍ରମିକ। କାମ କରିବା ବେଳେ ଅନେକ ପ୍ରାଣ ବି ହରାଉଥିଲେ। ହେଲେ ଏଥିରେ କମ୍ପାନୀକୁ ପଡୁ ନ ଥିଲା ଫରକ।

୧୯୬୦ ମସିହାରେ ଏନର୍ଜିର ଅନ୍ୟ ଉତ୍ସ ଗୁଡ଼ିକର ଡିମାଣ୍ଡ ବଢିବାକୁ ଲାଗିଲା। ଅନ୍ତରାଷ୍ଟ୍ରୀୟ ମାର୍କେଟ୍‌ରେ ଦ୍ରୁତ ଗତିରେ କୋଇଲାର ଡିମାଣ୍ଡ୍ କମିବାକୁ ଲାଗିଲା। କୋଇଲାକୁ ଅଏଲ୍ ରିପ୍ଲେସ୍ କରିଦେଲା। ଚାହିଦା କମିବାରୁ ୧୯୭୦ରେ ମିସ୍ତୁବିସ୍ କମ୍ପାନୀ ଆଇଲ୍ୟାଣ୍ଡ୍‌ରୁ ୬ ହଜାର ଶ୍ରମିକଙ୍କୁ କାଢିନେଲା। ଅଳ୍ପ କିଛି ଶ୍ରମିକଙ୍କୁ ନେଇ କିଛି ବର୍ଷ ଯାଏଁ କୋଇଲା ମାଇନିଂ ଜାରି ରଖିଲା। ଶେଷରେ ୧୯୭୪ ମସିହାରେ ହାସିମା ଆଇଲ୍ୟାଣ୍ଡରେ ତାଲା ପଡ଼ିଗଲା। ଏକ ଅଫିସିଆଲ୍ ଲେଟର ଆସିବା ପରେ ରାତାରାତି ଆଇଲ୍ୟାଣ୍ଡ ଖାଲି କରିଦିଆଗଲା। ଶ୍ରମିକମାନେ ସେମାନଙ୍କ ଘରଦ୍ୱାରା ଛାଡି ଚାଲିଗଲେ। ସେବେଠାରୁ ଏହି ଦ୍ୱୀପକୁ ଆଉ କେହି କେବେ ଫେରି ନାହାଁନ୍ତି। ଇତିମଧ୍ୟରେ ୪୫ ବର୍ଷ ବିତିଗଲାଣି ଖାଲି ପଡ଼ିଚି ଏହି ଦ୍ୱୀପ । ଜାପାନ ସରକାର ଏବେ ଟୁରିଷ୍ଟଙ୍କ ପାଇଁ ଏହି ଦ୍ୱୀପକୁ ଖୋଲିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *