ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ପୁଣି ପଶିଲେ ଅଣହିନ୍ଦୁ ମହିଳା । ମହିଳା ଜଣକ ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ସନ୍ଦେହ ହେବାରୁ ଶ୍ରୀମନ୍ଦିର ପୋଲିସର କର୍ମଚାରୀମାନେ ଯାଇ ତାଙ୍କୁ ଅଟକାଇଥିଲେ। ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି। ତେଣୁ ସମ୍ଭବତଃ ସେ ଚୀନର ନାଗରିକ ହୋଇଥିବା ସନ୍ଦେହ କରାଯାଉଛି। ସମ୍ପୃକ୍ତ ମହିଳାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। କାର୍ତ୍ତିକ ମାସରେ ପଞ୍ଚୁକ ଜାରି ରହିଥିବାରୁ ଭିଡ଼ ଭିତରେ ଅଣ ହିନ୍ଦୁ ମହିଳା ଜଣକ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।
ଶ୍ରୀଜଗନ୍ନାଥ ମନ୍ଦିରକୁ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ ବାରଣ ରହିଛି। ଏହା ସତ୍ତ୍ୱେ ମଧ୍ୟ ବାରମ୍ବାର ଅପ୍ରୀତିକର ପରିସ୍ଥିତି ଦେଖାଯାଉଛି। ଶ୍ରୀମନ୍ଦିରରେ ବ୍ୟାପକ ପୋଲିସ ମୁତୟନ ଓ ସିସିଟିଭି ଖଞ୍ଜା ଯାଇଥିଲେ ମଧ୍ୟ ଅଣହିନ୍ଦୁମାନଙ୍କ ପ୍ରବେଶ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅତୀତରେ ମଧ୍ୟ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିବା ନଜିର ରହିଛି। ଗତ ମାର୍ଚ୍ଚ ୩ ତାରିଖରେ ବାଂଲାଦେଶର ୯ ଜଣ ନାଗରିକ ଶ୍ରୀକ୍ଷେତ୍ରକୁ ଆସିଥିଲେ। ସେଥି ମଧ୍ୟରୁ ଜଣେ ହିନ୍ଦୁ ଓ ୫ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। କିନ୍ତୁ ଅନ୍ୟ ୩ଜଣ ବାହାରେ ଥିଲେ । ଶ୍ରୀମନ୍ଦିର ପ୍ରବେଶ କରିଥିବା ୬ଜଣଙ୍କୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀ ଧରି ସିଂହଦ୍ୱାର ପୋଲିସ ଜିମାରେ ଦେଇଥିଲେ। ପୋଲିସ ସମସ୍ତ ୯ଜଣଙ୍କୁ ଅଟକ ରଖି ପଚରାଉଚୁରା ପରେ ଛାଡ଼ି ଦେଇଥିଲା।
ସେହିପରି ଗତ ଫେବ୍ରୁଆରି ୨୪ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଜଣେ ମୁସଲିମ ମହିଳା ତଥା ଆଇଆରଏସ ଅଧିକାରୀ ନିଜ ପଦବିର ଅପବ୍ୟବହାର କରି ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିଥିଲେ। ଏପରିକି ଜଣେ ଅଧିକାରୀ ତାଙ୍କୁ ନିୟମ ବାବଦରେ ସଚେତନ କରିବା ସହ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ବୋଲି କହିବାରୁ ତାଙ୍କୁ ୪ଶହ କିଲୋମିଟର ଦୂରକୁ ବଦଳି କରିଥିଲେ। ଶ୍ରୀମନ୍ଦିରର ସେବାୟତଙ୍କ ବାବଦରେ କଟୁ କଥା କହିଛନ୍ତି ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଏତଲାରେ ଉଲ୍ଲେଖ କରିଥିଲେ।