ନୂଆଦିଲ୍ଲୀ: ରାତି ହେଲେ କୂଅରୁ ବାହାରୁଛି ବିକଟାଳ ଚିତ୍କାର । ଏହି ଶବ୍ଦ ଶୁଣି ଥର ଥର ହୋଇପଡ଼ିଛି ପୂରା ଗାଁ । ଘରେ ରହିବାକୁ ଭୟ କରୁଛନ୍ତି ଗ୍ରାମବାସୀ । ସମସ୍ତେ ଘରୁ ବାହାରି ଆସି ଏକଜୁଟ୍ ହୋଇ ରହିଛନ୍ତି । କୂଅରୁ ବାହାରୁଥିବା ଭୟଙ୍କର ଗର୍ଜନ ଲୋକଙ୍କ ଆଖିରୁ ନିଦ ହଜେଇ ଦେଇଛି । ରାତିରେ ଗର୍ଜନର ତୀବ୍ରତା ଅଧିକ ଭୟଙ୍କର ଓ ବିକଟାଳ ହେଉଥିଲାରୁ ଗାଁ ଦାଣ୍ଡରେ ଏକାଠି ହେବାକୁ ଅଧିକ ସୁରକ୍ଷିତ ମଣିଛନ୍ତି ଗ୍ରାମବାସୀ ।
ଏପରି ଘଟଣା ଘଟିଛି ଥାଇଲାଣ୍ଡ- ମିଆମାର ସୀମାରେ ଥିବା ଏକ ଛୋଟ ଗାଁରେ । ରାତିର ନିଶବ୍ଦତା ଭିତରୁ ହଠାତ୍ ଏକ ବିକଟଳା ଚିତ୍କାର ଶୁଣିବାକୁ ପାଇଲେ ଗାଁ ଲୋକେ । ଶବ୍ଦକୁ କାନ ପାରିବା ପରେ ପୁଣି କିଛି ସମୟରେ ଆହୁରି ଭୟଙ୍କର ଚିକ୍ରାର ଶୁଭିଲା, ଯାହା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କଲା । ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିବାକୁ ଶ୍ରେୟ ମଣିଲେ । ସମସ୍ତେ ଏକଜୁଟ ହେଲେ । ତଥାପି ସମସ୍ତଙ୍କ ଭିତରେ ଭୟ ଅଧିକରୁ ଅଧିକ ଜମାଟ ବାନ୍ଧୁଥିଲା । କାରଣ ପାଖ ଜଙ୍ଗଲରୁ ଆସୁଥିବା ଏହି ଶବ୍ଦ କିଛି ସମୟ ବ୍ୟବଧାନରେ ଶୁଣାଯିବା ସହ ଅଧିକରୁ ଅଧିକ ବିକଟାଳ ଲାଗୁଥିଲା । ହେଲେ ସୂର୍ଯ୍ୟ ଉଇଁବା ପରେ ଏହା ଆଉ ଶୁଣାଯାଉ ନଥିଲା । ପୁଣି ରାତି ଆରମ୍ଭ ହଉ ହଉ ପୁଣି ଚିକ୍ରାର ଶୁଭୁଥିଲା ।
ଏହା କୌଣସି ଆତ୍ମାର ଉପସ୍ଥିତି ବୋଲି ଗ୍ରାମବାସୀ ଭାବିନେଲେ । କେତେବେଳେ ଏହି ଆତ୍ମା ଗାଁକୁ ପଶି କାହାର ଜୀବନ ନେବ ତାକୁ ନେଇ ଭୟଭୀତ ହୋଇପଡ଼ିଲେ । ସମସ୍ତେ ଏକଜୁଟ୍ ହୋଇ ଏଥିପ୍ରତି ସତର୍କ ରହିଲେ । ରାତି ଯେତେ ବଡ଼ୁଥିଲା ଚିତ୍କାର ଆହୁରି ଭୟଙ୍କର ହୋଇପଡ଼ୁଥିଲା । ଶେଷରେ ଗ୍ରାମବାସୀ ପୋଲିସର ସହାୟତା ଲୋଡ଼ିଲେ । ଖବର ପାଇ ପାଉ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଲା । ଲୋକଙ୍କଠାରୁ ସବୁ ଶୁଣିବା ପରେ ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କଲା । ଶବ୍ଦ ଆସୁଥିବା ଦିଗକୁ ପୋଲିସ ଟିମ ଯାଉଥିଲେ ମଧ୍ୟ ସେହି ବିକଟାଳ ଶବ୍ଦ ସେମାନଙ୍କ ଛାତି ଥରାଇ ଦେଉଥିଲା । ତନାଘନା କରିବା ପରେ ଶେଷରେ ଟିମର ଅଳ୍ପ କିଛି ଅଧିକାରୀ ଏକ ପୁରୁଣା, ପରିତ୍ୟକ୍ତ କୂଅ ଭିତରୁ ଶବ୍ଦ ଶୁଭୁଥିବା ଜାଣିବାକୁ ପାଇଲେ । ଆଉ ସେଠାକୁ ଯାଇ ଯାହା ଦେଖିଲେ, ହୋସ ଉଡିଗଲା ।
ବାସ୍ତବରେ କୂଅ ଭିତରେ ପଡିଥିଲେ ଜଣେ ବ୍ୟକ୍ତି । ସେ ହେଲେ ଚୀନର ଲିୟୁ ଚୁଆନୟୀ । ସେ ଜଙ୍ଗଲରେ ବୁଲୁଥିବା ବେଳେ ଅସାବଧାନତା ଯୋଗୁ କୂଅରେ ପଡିଯାଇଥିଲେ । ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତେଣୁ ଚିତ୍କାର କରି ଲୋକଙ୍କୁ ଡ଼ାକୁଥିଲେ । ତିନି ଦିନ ଧରି ଖଣ୍ଡିଆ ଖାବରା ହୋଇ ଲିୟୁ ସାହାଯ୍ୟ ପାଇଁ ଡ଼ାକୁୁଥିଲେ । କିନ୍ତୁ ଆହତ ହେବା ସହ ଖାଦ୍ୟ ଅଭାବରୁ ସେ କିଛି ସମୟ ବ୍ୟବଧାନରେ ଲୋକଙ୍କୁ ଡାକ ପକାଉଥିଲେ । ହେଲେ କୂଅର କାନ୍ଥରେ ମାଡ ଖାଇ ସେହି ଶବ୍ଦ ଭୟଙ୍କର ଓ ବିକଟାଳ ଶୁଭୁଥିଲା । ପୋଲିସ ଲିୟୁଙ୍କୁ ଉଦ୍ଧାର କରି ତାଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି ।