ମୁମ୍ବାଇ : ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନବିସ ଶପଥ ନେବେ । ସେହିପରି ଉପ ମୁଖ୍ୟମନ୍ତ୍ରୀ ହେବେ ଶିବସେନା ନେତା ଏକନାଥ ସିନ୍ଦେ ଓ ଏନ୍ସିପି ନେତା ଅଜିତ ପାୱାର । ଶପଥ ଗ୍ରହଣ ସମାରୋହ ଗୁରୁବାର ସନ୍ଧ୍ୟା ସାଢେ ୫ଟାରେ ଆଜାଦ ମଇଦାନରେ ଅନୁଷ୍ଠିତ ହେବ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ଫଡ଼ନବିସ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହେବା ପରେ ବିଜେପି ନେତା ଓ କର୍ମକର୍ତ୍ତାମାନେ ଉତ୍ସବ ମନାଇଥିଲେ ।
ଏହି ସମାରୋହ ଲାଗି ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୪ ହଜାରରୁ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ଶପଥ ଉତ୍ସବରେ ମହାୟୁତିର ପ୍ରମୁଖ ଦଳ ବିଜେପି, ଶିବସେନା ସିନ୍ଦେ ଗୋଷ୍ଠୀ ଏବଂ ଏନ୍ସିପି ଅଜିତ ଗୋଷ୍ଠୀ ପକ୍ଷରୁ ବିପୁଳ ସଂଖ୍ୟାରେ ସମର୍ଥକମାନେ ସାମିଲ ହେବେ । ବିଜେପି ପକ୍ଷରୁ ୪୦ ହଜାର ଦଳୀୟ ସମର୍ଥକଙ୍କ ନିମନ୍ତେ ବସିବା ବ୍ୟବସ୍ଥା କରାଯାଇଛି। ୨ ହଜାର ଭିଭିଆଇପିଙ୍କ ପାଇଁ ଆସନ ସଂରକ୍ଷିତ ରହିଛି । ୫୨୦ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି ।
ମହାୟୁତି ମେଣ୍ଟର ଏହି ୩ ପ୍ରମୁଖ ନେତା ବୁଧବାର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ଏହି ସମୟରେ ସେମାନଙ୍କ ସହ ବିଜେପି ପର୍ଯ୍ୟବେକ୍ଷକ ବିଜୟ ରୁପାନି ଓ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ଏହାପରେ ରାଜ୍ୟପାଳ ସରକାର ଗଢ଼ିବାକୁ ମହାୟୁତିକୁ ଆମନ୍ତ୍ରଣ କରିଛନ୍ତି । ମହାୟୁତ କ୍ୟାବିନେଟ୍ରେ କେତେ ଓ କେଉଁମାନଙ୍କୁ ସାମିଲ କରାଯିବ, ତାହା ସ୍ପଷ୍ଟ ହୋଇନାହିଁ । ମହାରାଷ୍ଟ୍ରରେ ଗୁରୁବାର ନୂଆ ସରକାରର ଶପଥ ସମାରୋହ ପରେ ୭ ତାରିଖରୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ଏହା ୩ ଦିନ ଧରି ଚାଲିବ । ଏହି ସମୟରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେବେ । ବିଧାନସଭା ବାଚସ୍ପତି ନିର୍ବାଚନ ବି ହେବ । ଏହାପରେ ଡିସେମ୍ବର୧୬ରୁ ୨୧ ପର୍ଯ୍ୟନ୍ତ ନାଗପୁରରେ ବିଧାନସଭାର ଶୀତ ଅଧିବେଶନ ହେବ ।