ବିଗିଡିଲା ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା: ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ପୁଣିଥରେ ବିଗିଡ଼ିଯାଇଛି ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା । ଆଜି ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାଯାଇଛି । ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଲାଲକୃଷ୍ଣ ଆଡଭାନୀ କିଛି ଦିନଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ସଂଘର୍ଷ କରି ଆସୁଛନ୍ତି । ଏଥିଲାଗି ୪-୫ ମାସ ମଧ୍ୟରେ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି ।

ଲାଲକୃଷ୍ଣ ଆଡଭାନୀଙ୍କୁ ୯୭ ବର୍ଷ ହୋଇଥିବା ବେଳେ ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଦେଖାଯାଇଛି । ୪ରୁ ୫ ମାସ ଭିତରେ ତାଙ୍କୁ ଅନେକ ଥର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଭିନ୍ନ ବୟସାଧିକ ସମସ୍ୟା ଯୋଗୁ ତାଙ୍କୁ ଅଗଷ୍ଟ ମାସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚଳିତବର୍ଷ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ସେ ରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନ ଥିଲେ। ତାଙ୍କୁ ତାଙ୍କ ବାସଭବନରେ ଭରତ ରତ୍ନ ଦିଆଯାଇଥିଲା।

ଲାଲକୃଷ୍ଣ ଆଡଭାନୀ ୧୯୨୭ ମସିହା ନଭେମ୍ବର ୮ ତାରିଖରେ କରାଚିରେ ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୪୨ରେ ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନରେ ଯୋଗ ଦେଇଥିଲେ। ସେ ୧୯୮୬ ରୁ ୧୯୯୦ ପର୍ଯ୍ୟନ୍ତ, ପୁଣି ୧୯୯୩ ରୁ ୧୯୯୮ ଏବଂ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ ଭାଜପାର ରାଷ୍ଟ୍ରୀୟ ସଭାପତି ଥିଲେ। ଏହା ବ୍ୟତୀତ ସେ ଦୀର୍ଘ ସମୟ ଧରି ଦଳର ସଭାପତି ରହିଆସିଛନ୍ତି। ସେ ଅଟଳ ବାଜପେୟୀଙ୍କ ସରକାରରେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ସପ୍ତମ ଉପପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୫ ମସିହାରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *