ମୁମ୍ବାଇ: ବଲିଉନ ଭାଇଜାନ ସଲମାନ ଖାନ୍ଙ୍କୁ ହତ୍ୟା ଧମକ ମିଳିବା ପରେ ଏବେ କିଙ୍ଗଖାନ୍ ଶାହାରୁଖଙ୍କୁ ମିଳିଛି ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନଙ୍କୁ ଏକାଧିକ ଥର ହତ୍ୟା ଧମକ ଦିଆଯାଇଛି। ଏନେଇ ତାଙ୍କ ସୁରକ୍ଷା ବଢ଼ାଯାଇଥିବା ବେଳେ ଏବେ ବଲିଉଡର କିଙ୍ଗ୍ ଶାହାରୁଖ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି। ଏହି ଘଟଣାରେ ବାନ୍ଦ୍ରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶାହାରୁଖଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କୁ ରାୟପୁରରୁ ଗିରଫ କରାଯାଇଛି। ତେବେ ଶାହାରୁଖଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି ।
ସୂଚନା ମୁତାବକ, ରାୟପୁରର ଫେଜାନ ନାମକ ଜଣେ ବ୍ୟକ୍ତି କଲ୍ କରି ହତ୍ୟା କରିବାକୁ ଧମକ ଦେଇଥିଲେ। ୫୦ଲକ୍ଷ ଟଙ୍କା ଦିଅ। ନଚେତ୍ ମାରିଦେବି ବୋଲି କହିଥିଲେ ଅଭିଯୁକ୍ତ। ଏହି ଫୋନ୍ କଲ୍ ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନି ରେଡ୍ ଚିଲିଜର କାର୍ଯ୍ୟାଳୟକୁ ଆସିଥିଲା। ଧମକ ପାଇବା ପରେ ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନି ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜୀକୃତ କରାଯାଇଥିଲା। ଯାଞ୍ଚ ବେଳେ ଯେତେବେଳେ ପୋଲିସ ଏହି କଲକୁ ଟ୍ରାକ୍ କରିଥିଲା, ସେତେବେଳେ ଏହା ରାୟପୁରରୁ ଆସିଥିଲା ବୋଲି ଜଣାପଡ଼ିଥିଲା। ଏବେ ଠିକଣା ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।