ମୁମ୍ବାଇ: ସାଉଥର ଅନେକ ସୁପରଷ୍ଟାର ବଲିଉଡରେ କାମ କରିବାକୁ ସ୍ୱପ୍ନ ଦେଖିଥାନ୍ତି । ସେଥିମଧ୍ୟରୁ ଅନେକ ସୁପରଷ୍ଟାର ବଲିଉଡ଼ରେ ପ୍ରବେଶ କରି ସାରିଛନ୍ତି। ଅଭିନେତ୍ରୀ ନୟନତାରା ହୁଅନ୍ତୁ କିମ୍ବା ରଶ୍ମିକା ମନ୍ଦନା, ଏମିତି ଅନେକ ଅଭିନେତାଅଭିନେତ୍ରୀ ବଲିଉଡ଼ରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । କିନ୍ତୁ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଅଲ୍ଲୁ ଅର୍ଜୁନ କେବେ ବି ବଲିଉଡ଼ରେ କାମ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି ।
ଡିସେମ୍ବର ୫ରେ ମୁକ୍ତିଲାଭ କରିବ ପୁଷ୍ପା-୨ । ଏହି ଫିଲ୍ମ ରିଲିଜ୍କୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସିନେପ୍ରେମୀ । ଫିଲ୍ମର ଆକ୍ସନ, କାହାଣୀ ଓ ଗୀତକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଫିଲ୍ମଟି ୧୦୦୦କୋଟିରୁ ଅଧିକ ଆୟ କରିବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି । ଏଥିରେ ମୁଖ୍ୟ ଭୁମିକାରେ ଅଛନ୍ତି ଅଲ୍ଲୁ ଅର୍ଜ୍ଜୁୁନ । ଏହି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଅଲ୍ଲୁ । ହେଲେ ଏସବୁ ଭିତରେ ଅଲ୍ଲୁ କେବେ ବଲିଉଡ଼ରେ କାମ କରିବେନି ବୋଲି କହିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ଅଲ୍ଲୁ କହିଛନ୍ତି ଯେ, ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କୁ ଭେଟିଥିଲି। ଏହି ସମୟରେ ଆମେ ଦୁହେଁ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିବା ସମୟରେ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ କଥା ହୋଇଥିଲୁ । ବଲିଉଡରେ କାହିଁକି କାମ କରୁନ ବୋଲି ମୁଁ ଦେବୀଙ୍କୁ ପ୍ରଶ୍ନ କରିଥିଲି। ସେ କହିଥିଲେ, ତୁମେ କାମ କଲେ ମୁଁ ତୁମ ସହ କାମ କରିବି। ମୁଁ ତାଙ୍କୁ କହିଥିଲି ମୁଁ କେବେ ବି ବଲିଉଡରେ କାମ କରିବି ନାହିଁ। ମୁଁ ତାଙ୍କୁ ଏଥିପାଇଁ ଏଭଳି କହିଥିଲି, କାରଣ ସେ ସମୟରେ ବଲିଉଡକୁ ଯିବା ଏତେ ସହଜ ନ ଥିଲା। କିନ୍ତୁ ଏବେ ସୁଯୋଗ ମିଳିଲେ ମୁଁ ଆଗକୁ ବଲିଉଡରେ ଫିଲ୍ମ କରିବାକୁ ଚାହିଁବି ବୋଲି କହିଛନ୍ତି ଅଲ୍ଲୁ ।