ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ପ୍ରଦୂଷିତ ସହର ହେଉଛି ଦିଲ୍ଲୀ । ଦିନକୁ ଦିନ ପ୍ରଦୂଷଣ ମାତ୍ରା ବଢ଼ିଚାଲିଥିବାରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଯାଇଛି। ନଡ଼ାପୋଡି, ଯାନବାହନ ଏବଂ ଶିଳ୍ପାଞ୍ଚଳରୁ ଧୂଆଁ ନିର୍ଗତ ହ୍ରାସ ପାଇଛି । ହେଲେ ନିର୍ମାଣଜନିତ ଧୂଳି ଯୋଗୁ ସହରର ବାୟୁ ମାନ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସତ୍ତ୍ୱେ ଏହା ବଢ଼ିଚାଲିଥିବାରୁ ଦିଲ୍ଲୀବାସୀ ଚିନ୍ତିତ ହୋଇପଡ଼ିଛନ୍ତି । ଦୀପାବଳି ପରେ ଦିଲ୍ଲୀ ପୁଣିଥରେ ବିଶ୍ୱର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଛି । ରବିବାର ଦିଲ୍ଲୀର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆର) ୩୮୨ରେ ପହଞ୍ଚିଛି । ସେହିପରି ଆନନ୍ଦ ବିହାରରେ ୪୩୭ରେ ପହଞ୍ଚିଛି।
ଗତ ଶୁକ୍ରବାର ଦିଲ୍ଲୀ ବାୟୁ ପ୍ରଦୂଷଣର ୩୫ ପ୍ରତିଶତ ନଡ଼ାପୋଡ଼ି ଯୋଗୁ ହୋଇଥିବାବେଳେ ଶନିବାର ଏହା ୧୫ ପ୍ରତିଶତକୁ ହ୍ରାସ ପାଇଥିଲା। ଫଳରେ ଅନ୍ୟାନ୍ୟ କାରଣରୁ ଦିଲ୍ଲୀର ବାୟୁ ମାନ ଅଧିକ ଖରାପ ହେଉଥିବା ସ୍ପଷ୍ଟ ହୋଇଛି। ଏଥିରେ ଯାନବାହନ, ଶିଳ୍ପାଞ୍ଚଳର ଧୂଳି ଧୂଆଁ ଏବଂ ନିର୍ମାଣଜନିତ ଧୂଳି ମୁଖ୍ୟ କାରକ ହୋଇରହିଛି। ଏହା ବ୍ୟତୀତ ଦିଲ୍ଲୀର ଭୌଗୋଳିକ ଏବଂ ପାଣିପାଗଜନିତ ସ୍ଥିତି ମଧ୍ୟ ପ୍ରଦୂଷଣ ପାଇଁ ଅନେକାଂଶରେ ଦାୟୀ। ଏହି କାରଣରୁ ପ୍ରଦୂଷିତ ଉପାଦନଗୁଡ଼ିକ ସ୍ଥଳଭାଗ ନିକଟରେ ଜମିରହୁଛି। ଆନନ୍ଦ ବିହାର, ଅଶୋକ ବିହାର, ବୱାନା, ଦ୍ୱାରକାର ଦୁଇଟିଯାକ ମନିଟରିଂ ଷ୍ଟେଶନ, ଜାହାଙ୍ଗୀରପୁରୀ, ମୁଣ୍ଡ୍କା, ଲଜପତ୍ ନଗର, ପତ୍ପରଗଞ୍ଜ, ବିବେକ ବିହାର, ରୋହିଣୀ, ପଞ୍ଜାବୀ ବାଗ୍ ଏବଂ ୱାଜିରପୁରରେ ବାୟୁ ମାନ ସବୁଠୁ ଖରାପ ରହିଛି। ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୭ ଥିବାବେଳେ ରୋହିଣୀରେ ୪୩୫, ଲଜପତ ନଗରରେ ୪୩୦ ଏବଂ ପଞ୍ଜାବୀବାଗ୍ରେ ୪୨୫ ରହିଛି।