ମୁମ୍ବାଇ: ବଲିଉଡ୍ ଅଭିନେତା ହୁଅନ୍ତୁ ବା ଅଭିନେତ୍ରୀ ନିଜକୁ ଫିଟ୍ ରଖିବା ପାଇଁ ସେମାନେ ସବୁବେଳେ ଚେଷ୍ଟା କରିଥାନ୍ତିି । ଆଉ ବୟସ ବଢିଲେ ପ୍ରତ୍ୟେକ କଳାକାରଙ୍କର ଚେହେରାରେ ବୟସର ଛାପ ବାରି ହୋଇପଡ଼େ । କିନ୍ତୁ ଏମିତି ଜଣେ ଅଭିନେତା ଅଛନ୍ତି, ଯାହାଙ୍କର ବୟସ ବଢୁଛି ସତ ହେଲେ ସେ ସବୁବେଳେ ଯୁବକଙ୍କ ଭଳି ନଜର ଆସିଥାନ୍ତି । ସେ ସବୁବେଳେ ନିଜ ଯୁବ ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଆଉ କେହି ନୁହଁନ୍ତି, ସେ ହେଲେ ଅଭିନେତା ଅନୀଲ କପୁର । ଗତକାଲି ଥିଲା ତାଙ୍କର ୬୮ତମ ଜନ୍ମଦିନ । ତାଙ୍କୁ ଅନେକ ସେଲିବ୍ରିଟ୍ଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଥିଲେ ।
ବଲିଉଡ୍ ଅଭିନେତା ଅନିଲ କପୁର ଦୀର୍ଘ ୫ ଦଶନ୍ଧି ଧରି ବଲିଉଡ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ଅଭିନୟ ଦୁନିଆକୁ ଆସିବା ଓ ସଫଳ ହେବା ତାଙ୍କ ପାଇଁ ଏତେଟା ସହଜ ନ ଥିଲା । ସେ ନିଜର ଅଭିନୟ ଦୁନିଆର ସଂଘର୍ଷ ବିଷୟରେ ବଖାଣିଛନ୍ତି। ଅନିଲ କହିଛନ୍ତି ଯେ, ଏପରି ଏକ ସମୟ ଥିଲା, ଯେତେବେଳେ ତାଙ୍କୁ ଏକ ଗ୍ୟାରେଜ ରୁମ୍ରେ ସମୟ ଅତିବାହିତ କରିବାକୁ ପଡ଼ୁଥିଲା । ଯେତେବେଳେ ସେ ୧୭/୧୮ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ବାପାଙ୍କ ହୃଦ୍ରୋଗ ସମସ୍ୟା ଦେଖା ଦେଇଥିଲା। ତେଣୁ ସେ ଆଉ କାର୍ଯ୍ୟ କରିପାରି ନ ଥିଲେ। ପରିବାରର ପ୍ରତିପୋଷଣ ପାଇଁ ତାଙ୍କୁ କିଶୋର ଅବସ୍ଥାରୁ ହିଁ କାମ କରିବାକୁ ପଡ଼ିଥିଲା। ଅଭିନୟରେ ତାଙ୍କର କିଛିି ଅଭିଜ୍ଞତା ନ ଥିବାରୁ ତାଙ୍କୁ ପ୍ରଥମେ ସ୍ପଟ୍ ବୟ ଭାବେ କାମ ମିଳିଥିଲା। ସେ ସୁଟିଂ ସେଟ୍ରେ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଜଳଖିଆ ଓ ଚା’ ପରସୁଥିଲେ। ସେହିପରି ସେମାନଙ୍କୁ ବିମାନବନ୍ଦରରୁ ସ୍ୱାଗତ କରି ସୁଟିଂ ଲୋକେଶନକୁ ନବା ଆଣିବା ଦାୟିତ୍ୱ ମଧ୍ୟ ଥିଲା ଅନିଲଙ୍କର । ତେବେ ସେତେବେଳେ ସେ ଏସବୁ କାର୍ଯ୍ୟକୁ ଛୋଟ ମନେ କରୁ ନ ଥିଲେ ବୋଲି କହିଛନ୍ତି ଅନିଲ ।
ଅନିଲ୍ ହିନ୍ଦୀ ସିନେ ଜଗତରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅଭିନୟ କରିଛନ୍ତି। ୧୯୭୯ରେ ଅନିଲ୍ ପ୍ରଥମେ ବ୍ୟାକ୍ଗ୍ରାଉଣ୍ଡ୍ ଡ୍ୟାନ୍ସର ଭାବେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ। ଏହାର ୪ ବର୍ଷ ପରେ ‘ୱୋ ସାତ୍ ଦିନ୍ ’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଏହା ପରେ ସେ ମସାଲ୍, ମେରି ଜଙ୍ଗ, ମିଷ୍ଟର୍ ଇଣ୍ଡିଆ, ତେଜାବ୍, ନାୟକ, ରାମ ଲଖନ, ଦିଲ୍ ଧଡକନ୍ ଦୋ ଭଳି ହିଟ୍ ଫିଲ୍ମରେ ନିଖୁଣ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ।