ବାଲିଯାତ୍ରାର ପ୍ରଥମ ସନ୍ଧ୍ୟାରେ ବିଭ୍ରାଟ: ଅନୁପ ଜଲୋଟାଙ୍କ ଗୀତ ନ ଶୁଣି ନିରାଶ ହେଲେ ଦର୍ଶକ

କଟକ : କଟକର ଐତିହାସିକ ବାଲିଯାତ୍ରାର ପ୍ରଥମ ସନ୍ଧ୍ୟାରେ ଦେଖାଦେଲା ବିଭ୍ରାଟ । ଭଜନ ବାଦ୍‌ଶାହା ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କଲା ପୋଲିସ । ଫଳରେ ବଲିଉଡ଼ର ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସଙ୍ଗୀତ ଶୁରିବାରୁ ଲୋକଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏମିତି କି ପଦ୍ମଶ୍ରୀଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଏଭଳି ଅସମ୍ମାନକୁ ନେଇ ମଧ୍ୟ କ୍ଷୋଭ ପ୍ରକାଶ ପାଇଥିଲା ।

ଗତକାଲିଠାରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ପ୍ରଥମ ସନ୍ଧ୍ୟାରେ ଭଜନ ବାଦ୍‌ଶାହା ପଦ୍ମଶ୍ରୀ ଅନୁପ ଜଲୋଟା ଯୋଗ ଦେବା ଜାଣି ସନ୍ଧ୍ୟାରୁ ଲୋକଙ୍କ ଭିଡ଼ ଜମିଥିଲା । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା କେତେବେଳେ ଆସିବେ ଭଜନ ବାଦ୍‌ଶାହା ପଦ୍ମଶ୍ରୀ ଅନୁପ ଜଲୋଟା? ଏହା ଭିତରେ ଅଧିକାଂଶ ଷ୍ଟଲ୍ ବନ୍ଦ ହେବାରେ ଲାଗିଲା । ଧୀରେ ଧୀରେ ଲୋକେ ଘରକୁ ଯିବାକୁ ଲାଗିଲେ । ତଥାପି କିଛି ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରି ରହିଲେ। ଅନେକ ସମୟର ଅପେକ୍ଷା ପରେ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ମଞ୍ଚକୁ ଆସିଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ପଦ୍ମଶ୍ରୀ ଅନୁପ ଜଲୋଟା । ମୋଟ ୫ଟି ଭଜନ ଗାଇଛନ୍ତି ସେ । ହେଲେ କଟକଣା ନିୟମ ଅନୁଯାୟୀ ପୋଲିସ ବାଧ୍ୟ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଦେଲା । ଶେଷରେ ଅନୁପ ମଞ୍ଚରୁ ଓହ୍ଲାଇଯାଇଥିଲେ । ଯଦିଓ ସେହି କିଛି ସମୟ କିଛି ଦର୍ଶକ ଭାବବିହ୍ୱଳ ହୋଇଯାଇଥିଲେ କିନ୍ତୁ ଅନେକ ଲୋକ ନିରାଶ ହୋଇଫେରିଥିଲେ ।

ଏଭଳି କିଛି ବ୍ୟବସ୍ଥାଗତ ତ୍ରୁଟି ଦେଖିବାକୁ ମିଳିଥିଲା ବାଲିଯାତ୍ରା ବୈଷ୍ଣବ ପାଣି ମଞ୍ଚର ପ୍ରଥମ ସାଂସ୍କୃତିକ ସଂଧ୍ୟାରେ । ଲୋକମାନେ ନିରାଶ ହେବା ସହିତ ପଦ୍ମଶ୍ରୀଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଏଭଳି ଅସମ୍ମାନକୁ ନେଇ ମଧ୍ୟ କ୍ଷୋଭ ପ୍ରକାଶ ପାଇଥିଲା । ସନ୍ଧ୍ୟାରେ ପ୍ରଥମେ ବାଲିଯାତ୍ରାର ଇତିହାସ ଓ ପରମ୍ପରାକୁ ନେଇ ଏକ ଗ୍ରୁପ୍ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ତାହାପରେ ସୁର ମନ୍ଦିର ନୃତ୍ୟାନଷ୍ଠାନର କଳାକାର ନୃତ୍ୟ ମଞ୍ଚସ୍ଥ କରିଥିଲେ । ଏହାସହ ମଞ୍ଚରେ ଏକାଧିକ କଣ୍ଠଶିଳ୍ପୀଙ୍କ ଦ୍ୱାରା ଓଡିଆ ଭଜନ ପରିବେଷଣ କରଯାଇଥିଲା । ବିଳମ୍ବିତ ରାତିରେ ମଞ୍ଚରେ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ କଣ୍ଠର ହିନ୍ଦୀ ଭଜନ ‘ଐସି ଲାଗି ଲଗନ୍‌, ମୀରା ହୋ ଗୟୀ ମଗନ୍‌’, ‘ଅଚ୍ୟୁତମ୍ କେସବମ୍‌’, ‘ମେରି ଝୋପଡିକେ ଦ୍ୱାର ଆଜ ଖୁଲଯାଏଙ୍ଗେ..ରାମ ଆଏଙ୍ଗେ’, ‘ବୋଲୋ ରାମ ରାମ’ ଭଳି ମାତ୍ର ୫ଟି ଭଜନକୁ ମାତ୍ର ୨୫ମିନିଟ୍ ଗାଇବା ପରେ ଫେରିଯାଇଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *